ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ରେକର୍ଡ ବର୍ଷା, କାନାଡାକୁ ହରାଇ ଇତିହାସ ରଚିଲା ଆମେରିକା


ଡଲାସ: ଆଇସିସି ଟି-୨୦ ବିଶ୍ୱକପର ଦମଦାର ଷ୍ଟାଇଲରେ ଆରମ୍ଭ ହୋଇଛି । ବିଶ୍ୱକପର ପ୍ରଥମ ମୁକାବିଲା ଆୟୋଜକ ୟୁଏସଏ ଓ କାନାଡା ମଧ୍ୟରେ ଖେଳା ଯାଇଛି । ଉଦଘାଟନୀ ମ୍ୟାଚକୁ ଆମେରିକା ୭ ୱିକେଟରେ ଜିତି ନେଇଛି । ଜୁନ ୨ ତାରିଖ ଡଲାସର ଗ୍ରାଣ୍ଡ ପ୍ରେୟରୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଆମେରିକାକୁ ୧୯୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା କାନାଡା । ଯାହାକୁ ଆମେରିକା ମାତ୍ର ୧୭.୪ ଓଭରରେ ୩ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଛି । କେବଳ ଏତିକି ନୁହେଁ ଦଳ ଐତିହାସିକ ବିଜୟ ହାସଲ କରିଛି ।

ଆମେରିକା ବିଜୟରେ ଆରୋନ ଜୋନ୍ସ ହିରୋ ସାଜିଛନ୍ତି । ସେ ମାତ୍ର ୪୦ ବଲରୁ ଅପରାଜିତ ୯୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି । ଏଥିରେ ୪ ଚୌକା ଓ ୧୦ ଛକା ସାମିଲ । ଜୋନ୍ସ ଓ ଆଣ୍ଡ୍ରିଜ ଗୌସଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୧୩୧ ରନ ଭାଗିଦାରୀ ହୋଇଥିଲା । ଏହା ଆମେରିକା ଟି-୨୦ ଇତିହାସରେ ସବୁଠୁ ବଡ ଭାଗିଦାରୀ । ଗୌସ ୪୬ ବଲରୁ ୭ ଚୌକା ଓ ୩ ଛକା ବଳରେ ୬୫ ରନ କରିଥିଲେ ।

ଆମେରିକା ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଥର ୧୯୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ସଫଳତାର ସହ ହାସଲ କରିଛି । ଟି-୨୦ ବିଶ୍ୱକପର ଇତିହାସରେ ଏହା ତୃତୀୟ ସବୁଠୂ ସଫଳତମ ରନଚେଜ । ଆମେରିକା ପ୍ରଥମ ୮ ଓଭରରେ ୨ ୱିକେଟ ହରାଇ ୪୮ ରନ କରିଥିଲା । ମାତ୍ର ଶେଷ ୧୪୯ ରନ ୬.୪ ଓଭରରେ ସଂଗ୍ରହ କରିଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କାନାଡା ପକ୍ଷରୁ ନବନୀତ ଧଲିୱାଲ ୬୧ ଓ ନିକୋଲାସ କିର୍ଟନ ୫୧ ରନର ଦମଦାର ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ କାନାଡା ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୯୪ ରନ କରିଥିଲା । ଶ୍ରେୟସ ମୋଭା ମଧ୍ୟ ୧୬ ବଲରୁ ୩୨ ରନର ଅପରାଜିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ।

ଟି-୨୦ ବିଶ୍ୱକପରେ ସବୁଠୁ ସଫଳ ରନଚେଜ

୨୩୦ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ୨୦୧୬ ୱାଙ୍ଖେଡେ
୨୦୬ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ, ୨୦୦୭ ଜୋବର୍ଗ
୧୯୫ ଆମେରିକା ବନାମ କାନାଡା, ୨୦୨୪ ଡଲାସ

ଟି-୨୦ ବିଶ୍ୱକପରେ ଗୋଟିଏ ପାଳିରେ ସର୍ବାଧିକ ଛକା

୧୧ କ୍ରିସ ଗେଲ୍ ବନାମ ଇଂଲଣ୍ଡ, ୨୦୧୬ ୱାଙ୍ଖେଡେ
୧୦ କ୍ରିସଗେଲ ବନାମ ଦକ୍ଷିଣ ଆଫ୍ରିକା, ୨୦୦୭ ଜୋହାନ୍ସବର୍ଗ
୧୦ ଆରୋନ ଜୋନ୍ସ ବନାମ କାନାଡା, ୨୦୨୪ ଡଲାସ
୮ ରିଲି ରୋସୋ ବନାମ ବାଂଲାଦେଶ, ୨୦୨୨ ସିଡନୀ