ମାଲକାନଗିରି: କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନ କୁମାର ଭୋଇ ନିଖୋଜ । ତାଙ୍କ ସରକାରୀ କ୍ବାର୍ଟର୍ସରୁ ସିପିଆଇ ମାଓବାଦୀ ଲେଖା ଥିବା ଏକ ଚିଠି ମିଳିଛି । ତେଣୁ ତାଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି । ଗତ ରାତିରୁ ସେ ତାଙ୍କ କ୍ବାର୍ଟର୍ସରୁ ନିଖୋଜ ଅଛନ୍ତି ।
ସରକାରୀ କ୍ଵାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି ।
ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି । ଡାକ୍ତରଙ୍କୁ ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହରେ ଖୋଳତାଡ଼ ଚାଲିଛି । ଏହି ଘଟଣା ପରେ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି ।
ଡାକ୍ତରଙ୍କୁ ମାଓବାଦୀ ଉଠାଇ ନେଇଥିବା ସନ୍ଦେହ
