Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ବିଧାନସଭାକୁ ନେଇ ଆସିଲା ଏକଜିଟ୍ ପୋଲ, ଜାଣନ୍ତୁ ବିଜେଡି ସରକାର ଗଢୁଛି ନା ବିଜେପି ଇତିହାସ ରଚୁଛି

ଭୁବନେଶ୍ଵର: ଗତକାଲି ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଏକଜିଟ୍ ପୋଲ୍ ଆସିବା ପରେ ବିଧାନସଭାକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା। ଏଠି କିଏ ଗଢିବ ସରକାର ତାକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଆଜି ବିଧାନସଭାକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ଆମ ସଂସ୍ଥା ଓଡିଶା ଡଟ୍ ନ୍ୟୁଜ୍ ପକ୍ଷରୁ ମଧ୍ୟ ଏକଜିଟ୍ ପୋଲ୍ କରାଯାଇଛି। ଏଥିରେ ବିଜେଡି ପୁଣି ଥରେ ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ବିଜେପି ଭଲ ପ୍ରଦର୍ଶନ କରି ସିଟ୍ ସଂଖ୍ୟା ବଢାଇବା ସହ ବିଜେଡିକୁ କଡା ଟକ୍କର ଦେଇଛି। କଂଗ୍ରେସର ନିମ୍ନଗାମୀ ଘଟିଛି।

ଓଡିଶା ଡଟ୍ ନ୍ୟୁଜ୍‌ର ଏକଜିଟ୍ ପୋଲ୍ ଅନୁଯାୟୀ, ୧୪୭ ବିଧାନସଭା ସିଟରୁ ବିଜେଡି ୮୨ ଆସନ ଜିତି କ୍ରମାଗତ ଷଷ୍ଠ ଥର ସରକାର ଗଢିବ। କିନ୍ତୁ ଏହା ୨୦୧୯ ତୁଳନାରେ ବହୁତ କମ। କାରଣ ବିଜେଡି ଗତ ନିର୍ବାଚନରେ ୧୧୨ ସିଟ୍ ଜିତିଥିଲା। ଆମ ଆକଳନ ଅନୁଯାୟୀ ବିଜେଡି ପାଖାପାଖି ୩୦ ସିଟ୍ ହରାଉଛି। ବିଜେପି ୫୮ ସିଟ୍ ଜିତି ରାଜ୍ୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଯାଉଛି। ଦଳ ୨୦୧୯ରେ ୨୩ ସିଟ୍ ଜିତିଥିଲା। କଂଗ୍ରେସ ଖାତାକୁ ୭ ସିଟ୍ ଯାଇପାରେ ବୋଲି ଆକଳନ କରାଯାଇଛି।

ସେହିପରି ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଆକ୍ସିସ ପାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ମୁତାବକ ରାଜ୍ୟରେ ଝୁଲା ସରକାର ରହିପାରେ। ବିଜେଡି ୬୨ରୁ ୮୦ ସିଟ୍ ଜିତିପାରେ ଏବଂ ବିଜେପି ମଧ୍ୟ ୬୨ରୁ ୮୦ ସିଟ୍ ହାତେଇପାରେ। କଂଗ୍ରେସ ୫ରୁ ୮ ସିଟ୍ ଜିତିପାରେ। ଏମିତି ହେଲେ ରାଜ୍ୟରେ କିଏ ସରକାର ଗଢିବ କହିବା ମୁସ୍କିଲ। ଓଡ଼ିଶାରେ ସରକାର ଗଢିବା ପାଇଁ ଦରକାର ୭୨ ବିଧାୟକ।

ଜନ କି ବାତର ଏକଜିଟ୍ ପୋଲ୍‌ ଅନୁଯାୟୀ, ଓଡ଼ିଶାରେ ବିଜେଡି ୮୧ ସିଟ୍ ଜିତି ଷଷ୍ଠ ଥର ସରକାର ଗଢୁଛି। ବିଜେପି ୫୮ ସିଟ୍ ଜିତି ଦ୍ଵିତୀୟ ସ୍ଥାନରେ ରହିବା ସହ ୨୦୧୯ ତୁଳନାରେ ଅଧିକ ୩୫ ସିଟ୍ ଜିତୁଛି। କଂଗ୍ରେସ ୮ଟି ସିଟରେ ସୀମିତ ରହୁଛି। ତେବେ ୨୦୨୪ରେ ବିଜେଡିର ଘାଟା ରହୁଥିବା ଜନ କି ବାତର ଏକଜିଟ୍ ପୋଲ୍‌ ଦର୍ଶାଉଛି। ଗତ ନିର୍ବାଚନ ଅପେକ୍ଷାରେ ଏଥର ଦଳ ପାଖାପାଖି ୩୦ ସିଟ୍ ହରାଉଛି।

‘ପ୍ରଗତିବାଦୀ’ ଆକଳନ ଅନୁଯାୟୀ, ବିଜେଡିକୁ ୧୧ ଓ ବିଜେପିକୁ ୧୦ ଲୋକସଭା ଆସନ ମିଳିବ । ବିଜେଡିକୁ ୯୪ ଏବଂ ବିଜେପିକୁ ୪୧ ବିଧାନସଭା ଆସନ ମିଳିପାରେ । କଂଗ୍ରେସ ୧୦ଟି ଏବଂ ଅନ୍ୟାନ୍ୟ ଦୁଇଟି ଆସନ ପାଇବେ । ‘ନନ୍ଦିଘୋଷ/ସକାଳ’ ର ଏକଜିଟ୍ ପୋଲ ଅନୁସାରେ ୨୦୧୯ ନିର୍ବାଚନ ଫଳାଫଳ ତୁଳନାରେ ବିଜେଡି ଭଲ ପ୍ରଦର୍ଶନ କରିବ । ବିଜେଡିକୁ ୧୧୭ ଆସନ, ବିଜେପିକୁ ୧୧ଟି ଓ କଂଗ୍ରେସକୁ ୨ଟି ଆସନ ମିଳିବ ।