ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଲେ ହେବନି ଭାରତ-ଚୀନ ଲଢ଼େଇ: ଗ୍ଲୋବାଲ ଟାଇମ୍ସ


ଭୁବନେଶ୍ବର: ଭାରତରେ ସରିଛି ୨୦୨୪ ସାଧାରଣ ନିର୍ବାଚନ । ଇଭିଏମରେ ସିଲ ହୋଇସାରିଛି ଆଗାମୀ ୫ ବର୍ଷ ପାଇଁ କିଏ ସରକାର ଗଢ଼ିବ ତାହାର ନିର୍ଦ୍ଦେଶ । ନିର୍ବାଚନ ସରିବା ପରେ ଦେଶର ବିଭିନ୍ନ ସର୍ଭେ ସଂସ୍ଥା ମାନଙ୍କର ଆସିଛି ଏକଜିଟ ପୋଲ । ଏଥିରେ ଏନଡିଏ ବହୁମତ ସହ ଫେରୁଥିବା ବେଳେ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା କୁହାଯାଇଛି । ସେମିତିରେ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଏହି ମହାନ ନିର୍ବାଚନୀ ପର୍ବ ଉପରେ ତ ସାରା ବିଶ୍ବର ନଜର ଥିଲା । ତେବେ ଆମ ପଡୋଣୀ ତଥା ପିଠିରେ ଛୁରା ମାରିବାକୁ ସବୁ ବେଳେ ପ୍ରସ୍ତୁତ ଥିବା ଚୀନ ବି ଭାରତର ନିର୍ବାଚନ ଓ ଏହାର ଏକଜିଟ ପୋଲ ଉପରେ ତୀକ୍ଷ୍ନ ନଜର ରଖିଥିଲା । ଯାହା ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଯଦି ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ ଓ ଚୀନ ମଧ୍ୟରେ ଲଢ଼େଇ ହେବନି । ଏହାସହ ଭାରତ ଓ ଚୀନ ମଧ୍ୟରେ ବନ୍ଦୁତ୍ବ ସମ୍ଭାବନା ପ୍ରକାଶ କରିଛି ଗ୍ଲୋବାଲ ଟାଇମ୍ସ ।

ଗ୍ଲୋବାଲ ଟାଇମ୍ସ ହେଉଛି ଚୀନର ଜିନପିଙ୍ଗ ସରକାରଙ୍କ ସରକାରୀ ଖବରକାଗଜ । ଗ୍ଲୋବାଲ ଟାଇମ୍ସର ଦୃଷ୍ଟିକୋଣକୁ ଚୀନର ମତ ବୋଲି ବିବେଚନା କରାଯାଇଥାଏ । ଏପରି ସ୍ଥିତିରେ, ଗ୍ଲୋବାଲ୍ ଟାଇମ୍ସର ବିଶେଷଜ୍ଞଙ୍କ ଏହି ଆର୍ଟିକିଲ୍ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ବାସ୍ତବରେ ଚୀନ୍ ମିଡିଆ ଗ୍ଲୋବାଲ୍ ଟାଇମ୍ସ ଏହାର ଆର୍ଟିକିଲରେ ଲେଖିଛି ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଫେରିବା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ମଧ୍ୟ ସୁଦୃଢ଼ ହେବ । ଭାରତର ବୈଦେଶିକ ଓ କୂଟନୀତି ଅଧିକ ଶକ୍ତିଶାଳୀ ହେବ ।

ସୂଚନାଯୋଗ୍ୟ, ଗ୍ଲୋବାଲ ଟାଇମ୍ସରେ କୌଣସି ଆର୍ଟିକିଲ ପ୍ରକାଶ ପାଇବାର ଅର୍ଥ ଚୀନ ସରକାରଙ୍କ ଆର୍ଟିକିଲ ପ୍ରକାଶ ପାଇବା । ଚୀନ ସରକାରଙ୍କ ବିନା ଅନୁମତିରେ ଗ୍ଲୋବାଲ ଟାଇମ୍ସରେ ଅକ୍ଷରଟିଏ ବି ଲେଖିବା ଅସମ୍ଭବ । ଅର୍ଥାତ ଗ୍ଲୋବାଲ ଟାଇମରେ ପ୍ରକାଶିତ ଆର୍ଟିକିଲ ହେଉଛି ଚୀନ ସରକାରଙ୍କ ମତ ।

ତେବେ ସୀମା ବିବାଦ ହେଉ କି, ଜାତିସଙ୍ଘରେ ଭାରତକୁ ଭିଟୋ ପାଓ୍ବାର ନଦେବା ହେଉ, ଅଥବା ଅନ୍ୟ କୌଣସି ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ଚୀନ ଭାରତକୁ ନିଚା ଦେଖାଇବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଥିଏ । ଏମିତି ସ୍ଥିତିରେ ଏକଜିଟ ପୋଲକୁ ଦେଖି ଚୀନ ମୋଦି ଓ ଭାରତ ସମ୍ପର୍କରେ ଏମିତି ମିଠା କଥା କହିବାର ଉଦ୍ଦେଶ୍ୟ କ’ଣ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଚର୍ଚ୍ଚା ହେଉଛି, ବିଶ୍ବସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଗ୍ରହଣୀୟତା ପୂର୍ବରୁ ଚୀନକୁ ବିଚଳିତ କରି ରଖିଛି । ଏବେ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନା କେବଳ ତାଙ୍କ ଶକ୍ତି ବଢ଼ିବ, ବିଶ୍ବସ୍ତରରେ ଭାରତର ବି ଦବଦବା ବଢ଼ିବ । ଯାହାଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏବେଠାରୁ ଡରାଇବାକୁ ଲାଗିଲାଣି ।