ପ୍ରାରମ୍ଭିକ ଟ୍ରେଣ୍ଡ: ଓଡିଶାରେ ମ୍ୟାଜିକ ନମ୍ବର ଛୁଇଁଲା ବିଜେପି, ୭୫ ସିଟରେ ଆଗୁଆ, ବିଜେଡି ହାତରୁ ଖସିବ କ୍ଷମତା !


ଭୁବନେଶ୍ୱର: ଯେତିକି ଭୋଟ୍ ଗଣତି ଆଗକୁ ବଢି ଚାଲିଛି, ଆସନଗୁଡିକରେ ଚିତ୍ର କିଛିଟା ସ୍ପଷ୍ଟ ହେବାରେ ଲାଗିଛି । ଟ୍ରେଣ୍ଡ ଦେଖିଲେ ଶାସକ ବିଜୁ ଜନତା ଦଳକୁ ଝଟକା ଲାଗିପାରେ । ମତଦାନ କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ୭୫ଟି ସିଟରେ ଆଗୁଆ ରହିଛି । ବିଜେଡି ୪୫ ସିଟ୍ ଆଗୁଆ ରହିଥିଲେ ହେଁ ଓଡିଶାରେ ଦଳର ପତନ ଘଟିବାକୁ ଯାଉଛି । କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୨ ସିଟ୍ ଏବଂ ଅନ୍ୟ ୪ଟି ସିଟରେ ଆଗୁଆ ରହିଛନ୍ତି ।

ଭୋଟ୍ ଗଣତିର ଏହି ଟ୍ରେଣ୍ଡ ବିଜେଡିର ଚିନ୍ତାକୁ ବଢାଇ ଦେଇପାରେ । ଦୀର୍ଘ ୨୫ ବର୍ଷ ଧରି ସରକାରରେ ଥିବା ବିଜେଡି ଏଥର ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ଲାଗୁଛି । ଏଥିସହ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଲକ୍ଷ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଅଧୁରା ରହିପାରେ ବୋଲି ପ୍ରାରମ୍ଭିକ ଟ୍ରେଣ୍ଡରୁ ସଙ୍କେତ ମିଳୁଛି । ଏହା ଚୂଡାନ୍ତ ଫଳାଫଳ ନୁହେଁ । ଆଗକୁ ସିଟରେ ଏପଟ ସେପଟ ହୋଇପାରେ । କାରଣ ଏହା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରତିଟି ବିଧାନସଭା ସିଟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି । କିଏ କାହାକୁ ଇଞ୍ଚେ ଜାଗା ଛାଡିବାକୁ ନାରାଜ । ଯେଉଁ ଦଳର ଯିଏ ବି ଜିତନ୍ତୁ ଭୋଟ୍ ବ୍ୟବଧାନ ବହୁତ କମ ରହିବ । କିନ୍ତୁ ଭୋଟ୍ ଗଣତିର ପ୍ରାରମ୍ଭିକ ଖବର ବିଜେପି ଶିବିରକୁ ନିଶ୍ଚିତ ଭାବେ ଖୁସି ଦେବ । ଏମିତି ଜାରି ରହିଲେ ବିଜେପି ଓଡିଶାରେ ପ୍ରଥମ ଥର ସରକାର ଗଢି ଇତିହାସ ରଚିବ ।

ଜାତୀୟ ଗଣମାଧ୍ୟମ କରିଥିବା ଏକଜିଟ ପୋଲରେ ବିଜେପି ଅଧିକ ସିଟ୍ ଜିତି ଭଲ କରୁଥିବା ବେଳେ ବିଜେଡିର ବହୁତ କ୍ଷତି ଘଟୁଥିବା ପୂର୍ବାନୁମାନ କରିଥିଲେ । ୧୪୭ ସିଟରୁ ସରକାର ଗଢିବ ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪ । ଗତ ନିର୍ବାଚନରେ ବିଜେଡି ୧୧୨ ସିଟ୍ ଜିତି ପଞ୍ଚମ ଥର ସରକାର ଗଢିଥିଲା । ଆଉ ବିଜେପି ୨୩ ଓ କଂଗ୍ରେସ ୯ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଏଥର ବିଜେପି ଶାସକ ବିଜେଡିକୁ ପଛରେ ପକାଇ ଦେଇଛି ।

ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା । ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଦୃଢ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିପାରେ ।