ବିଜେଡିର ଚିନ୍ତା ବଢାଇଲା ଭୋଟ୍ ଗଣତି, ହାତରୁ ଖସିପାରେ ଶାସନ, ଶଙ୍ଖଭବନରେ ପୂଜାର୍ଚ୍ଚନା


ଭୁବନେଶ୍ୱର: ସାଧାରଣ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟରେ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡିର ଚିନ୍ତା ବଢ଼ାଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ୨୫ ବର୍ଷର ବିଜେଡି କ୍ଷମତାଚ୍ୟୁତ ହେଉଥିବା ସଙ୍କେତ ମିଳିଛି । ବିଜେପି ୭୫ ସିଟ୍ ଆଗରେ ମ୍ୟାଜିକ ନମ୍ବର ଛୁଇଁ ସାରିଛି। ବିଜେଡି ୫୨ ଆସନରେ ଅଗ୍ରନୀ ହାସଲ କରିଥିଲେ ହେଁ ଦଳର ପତନ ଘଟିବାକୁ ଯାଉଛି । ଏଭଳି ଟ୍ରେଣ୍ଡ ଆସିବା ପରେ ଆଜି ସକାଳୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏବେ ବିଜେଡି ଭଗବାନଙ୍କ ଶରଣରେ ପଶିଛି ।

ନିର୍ବାଚନ କମିଶନଙ୍କ ୯ଟା ୫୦ମିନିଟ୍ ସୁଦ୍ଧା ତଥ୍ୟ ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଭୁବନେଶ୍ୱର,ସମ୍ବଲପୁର,ଜଗତସିଂହପୁର କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ବିଧାନସଭାରେ ମଧ୍ୟ ବିଜେପି ଦମଦାର ପ୍ରଦର୍ଶନ କରୁଛି ।

ଭୋଟ୍ ଗଣତିର ଏହି ଟ୍ରେଣ୍ଡ ବିଜେଡିର ଚିନ୍ତାକୁ ବଢାଇ ଦେଇପାରେ । ଦୀର୍ଘ ୨୫ ବର୍ଷ ଧରି ସରକାରରେ ଥିବା ବିଜେଡି ଏଥର ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ଲାଗୁଛି । ଏଥିସହ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଲକ୍ଷ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଅଧୁରା ରହିପାରେ ବୋଲି ପ୍ରାରମ୍ଭିକ ଟ୍ରେଣ୍ଡରୁ ସଙ୍କେତ ମିଳୁଛି । ଏହା ଚୂଡାନ୍ତ ଫଳାଫଳ ନୁହେଁ । ଆଗକୁ ସିଟରେ ଏପଟ ସେପଟ ହୋଇପାରେ । କାରଣ ଏହା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରତିଟି ବିଧାନସଭା ସିଟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି । କିଏ କାହାକୁ ଇଞ୍ଚେ ଜାଗା ଛାଡିବାକୁ ନାରାଜ । ଯେଉଁ ଦଳର ଯିଏ ବି ଜିତନ୍ତୁ ଭୋଟ୍ ବ୍ୟବଧାନ ବହୁତ କମ ରହିବ । କିନ୍ତୁ ଭୋଟ୍ ଗଣତିର ପ୍ରାରମ୍ଭିକ ଖବର ବିଜେପି ଶିବିରକୁ ନିଶ୍ଚିତ ଭାବେ ଖୁସି ଦେବ । ଏମିତି ଜାରି ରହିଲେ ବିଜେପି ଓଡିଶାରେ ପ୍ରଥମ ଥର ସରକାର ଗଢି ଇତିହାସ ରଚିବ ।

ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା । ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଦୃଢ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିପାରେ ।