ଓଲିଉଡ଼ ଷ୍ଟାର: ନିର୍ବାଚନୀ ମୈଦାନରେ କିଏ କ୍ଲିକ କଲେ, କିଏ ଫ୍ଲପ ହେଲେ ?


ଭୁବନେଶ୍ବର: ଓଲିଉଡ଼ର ବହୁ ନାମୀଦାମୀ ଷ୍ଟାର ଚଳିତ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ରାଜ୍ୟର ତିନି ପ୍ରମୁଖ ରାଜନୖତିକ ଦଳ ଏମାନଙ୍କୁ ପ୍ରାର୍ଥୀ କରିଥିଲେ । ନିଜ ଫ୍ୟାନ ଫଲୋର୍ସ ଓ ଗ୍ଲାମ ବଳରେ ଏମାନେ ନିଜ ପକ୍ଷରେ ଲୋକଙ୍କୁ ପ୍ରଭାବିତ କରିବା ସହ ଦଳ ପାଇଁ ବି ଭୋଟ ସାଉଁଟିବେ ବୋଲି ଆଶା ଥିଲେ । ତେବେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନାଦେଶ ସବୁ କିଛି ଓଲଟପାଲଟ କରିଦେଇଛି । ଏହି ସେଲିବ୍ରିଟିଙ୍କ ମଧ୍ୟରୁ କିଛି ରାଜନୀତିରେ କ୍ଲିକ କରିଛନ୍ତି ତ ଆଉ କିଛି ଫ୍ଲପ୍ ହୋଇଯାଇଛନ୍ତି । ଆସନ୍ତୁ ଜାଣିବା, ୨୪ ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ଓଲିଉଡ଼ର ଷ୍ଟାରଙ୍କର ହେଲା କ’ଣ ?

ଏଥର ଓଲିଉଡର ୫ ଜଣ ଷ୍ଟାର କଂଗ୍ରେସ, ବିଜେପି ଓ ବିଜେଡିରୁ ସିଧାସଳଖ ମଇଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ବିଧାନସଭା ଓ ଜଣେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ୩ ଜଣ ବିଧାନସଭା ଆସନରେ ବିଜୟ ଲାଭ କରିଥିବା ବେଳେ ଅନ୍ୟ ଦୁଇ ଜଣ ବିଧାନସଭା ଓ ଲୋକସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

ଚଳିତ ନିର୍ବାଚନରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ବିଜେପି ସେମାନଙ୍କୁ ବିଧାନସଭା ଟିକେଟ ଦେଇଥିଲା । ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ଓ ଆକାଶ ଜିତିଥିବା ବେଳେ ହାରି ଯାଇଛନ୍ତି ଅରିନ୍ଦମ । ବିଜେଡିରେ ସାମିଲ ହୋଇଥିବା ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଭରସା କରି ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ହେଲେ ସେ ବିଜେପିର ଅମର ନାୟକଙ୍କଠରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

କଂଗ୍ରେସ ଟିକେଟରେ ରାଜନୀତିରେ ଡେବ୍ୟୁ କରିଥିବା ଅଭିନେତା ମନୋଜ ମିଶ୍ରଙ୍କୁ ଦଳ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ମାତ୍ର ତାଙ୍କୁ ବି ପରାଜୟର ସ୍ବାଦ ଚାଖିବାକୁ ପଡିଛି ।

ସେହିପରି ପ୍ରୟୋଜକ ବାବୁ ସିଂ ବିଜେପି ପକ୍ଷରୁ ଭୁବନେଶ୍ୱର- ଏକାମ୍ର ନିର୍ବାଚନ ମଣ୍ଡଳୀ ଆସନରୁ ଛିଡ଼ା ହୋଇଥିଲେ । ଉକ୍ତ ଆସନରୁ ଛିଡ଼ା ହୋଇଥିବା ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାସ୍ତ କରି ସେ ବିଜୟୀ ହୋଇଛନ୍ତି ।

ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ଦୁଇ ଥର ବିଜେଡି ଟିକେଟରୁ ଲୋକସଭାକୁ ଯାଇଥିବା ବେଳେ ଆକାଶ ଦାସ ବି ଥରେ କୋରେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଅରିନ୍ଦମ ରାୟ ବିଜେଡି ଛାଡ଼ି ଏଥର ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ୁଥିବା ବେଳେ ପରାସ୍ତ ହୋଇଛନ୍ତି । ସେହିପରି ନୂଆ ନୂଆ ରାଜନୀତିରେ ପାଦ ଦେଉ ଦେଉ ଝୁଣ୍ଟିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥର ପ୍ରଥମ ଥର ପାଇଁ ସେ ବିଜେଡି ଟିକେଟରୁ ବଡ଼ଚଣା ଆସନରୁ ଲଢ଼ୁଥିବା ବେଳେ ପରାଜିତ ହୋଇଛନ୍ତି।