ଭୁବନେଶ୍ବର: ଓଡ଼ିଶାରେ ସରି ଯାଇଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଫଳାଫଳ ବି ଆସି ସାରିଛି । ଚଳିତ ଜନାଦେଶରେ ବିଜେଡି ଧରାଶାୟୀ ହୋଇଥିବା ବେଳେ ପ୍ରଥମ ଥର ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାକୁ ଯାଉଛି । କଂଗ୍ରେସ ବି ଗତ ଥରଠାରୁ ଭଲ ପଦର୍ଶନ କରିଛି । ହେଲେ, ଏହି ତିନି ଦଳର ସଭାପତି ଅର୍ଥାତ ମୁଖିଆ ପରାଜୟ ବରଣ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପରାଜିତ ହୋଇଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ପରାଜିତ ହୋଇଛନ୍ତି । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପରାଜିତ ହୋଇଛନ୍ତି ।
ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ହିଞ୍ଜିଳିରେ ସେ ବିଜୟୀ ଲାଭ କରିଛନ୍ତି । କିନ୍ତୁ ବହୁ କମ୍ ଭୋଟର ଜିତିଛନ୍ତି । ୪ ହଜାର ୬୩୬ ଭୋଟରେ ନବୀନ ବିଜୟୀ ହୋଇଛନ୍ତି । ସେହିପରି କଣ୍ଟାବାଞ୍ଜିରୁ ନବୀନଙ୍କ ପରାଜୟ ହୋଇଛି । ଲକ୍ଷ୍ମଣ ବାଗଙ୍କ ଭଳି ନେତା ନବୀନଙ୍କୁ ମାତ୍ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବୀନଙ୍କୁ ୧୬ ହଜାର ୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ଲକ୍ଷ୍ମଣ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ହାରିଛନ୍ତି । ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠୁ ସେ ପରାଜିତ ହୋଇଛନ୍ତି । ୨୦୦୦ରୁ ଅଧିକ ଭୋଟରେ ବ୍ୟୋମକେଶ ବିଜୟୀ ହୋଇଛନ୍ତି । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢିଛି । ରାଜ୍ୟରେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ବିଜୟ ଲାଭ କରିଛି । ରାଜ୍ୟରେ ଦଳର ବିଜୟ ପଛରେ ମନମୋହନ ସାମଲ ମଧ୍ୟ ଜଣେ ଅନ୍ୟତମ ବିନ୍ଧାଣୀ କିନ୍ତୁ ସେ ପରାଜିତ ହୋଇଛନ୍ତି ।
ନୂଆପଡାରୁ ନିର୍ବାଚନ ଲଢିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମାତ୍ର ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଛନ୍ତି । ଦଳ ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରିଛି । ୧୪ ବିଧାୟକ ଏବଂ ଗୋଟିଏ ଲୋକସଭା ଆସନ ପାଇଛି । ହେଲେ ରାଜ୍ୟର ଦଳପତି ଶରତ ପଟ୍ଟନାୟକ ହାରିଯାଇଛନ୍ତି । ବିଜେଡିର ୧୧ ମନ୍ତ୍ରୀ ପରାଜିତ ହୋଇଥିବା ବେଳେ କଂଗ୍ରେସ ଓ ବିଜେପିର ଅନେକ ତୁଙ୍ଗ ନେତା ମଧ୍ୟ ପରାଜିତ ହୋଇଛନ୍ତି ।