ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥର ବି ଏନଡିଏକୁ ବହୁମତ ମିଳିଛି ଏବଂ କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି । ଏହା ମଧ୍ୟରେ ନୂତନ ସରକାରର ଶପଥ ଗ୍ରହଣ ତାରିଖ ଏବଂ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇ ଯାଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ ୮ ତାରିଖ ସନ୍ଧ୍ୟା ୮ଟାରେ ହୋଇପାରେ । ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ନୂତନ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ କାହାକୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ତାକୁ ନେଇ ସହଯୋଗୀ ଦଳ ସହ ଆଲୋଚନା ଏବଂ ମାରାଥନ ବୈଠକ ଜାରି ରହିଛି । ସମ୍ଭବତଃ ଦୁଇ ତିନି ଦିନରେ ମନ୍ତ୍ରିମଣ୍ଡଳର ନାମ ଚୂଡାନ୍ତ ହୋଇଯିବ ।
ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବା ମାତ୍ରେ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ନୂତନ ରେକର୍ଡ ଯୋଡି ହୋଇଯିବ । ସେ ଦେଶର ଦ୍ୱିତୀୟ ନେତା ହେବେ, ଯିଏ ଲଗାତାର ତୃତୀୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବେ । ଏହା ପୂର୍ବରୁ ଏହି ରେକର୍ଡ ଜବାହରଲାଲ ନେହେରୁଙ୍କ ନାମରେ ଥିଲା । ଆଉ ମୋଦୀ ତାଙ୍କ ସମକକ୍ଷ ହେବେ ।
ଦିଲ୍ଳୀରେ ଆଜି ଅପରାହ୍ନ ୪ଟାରେ ଏନଡିଏ ବୈଠକ ଡକାଯାଇଛି । ଏଥିରେ ଜେଡିୟୁ ପ୍ରମୁଖ ନୀତିଶ କୁମାର, ଟିଡିପି ପ୍ରମୁଖ ଏନ ଚନ୍ଦ୍ରବାବୁ ନାଇଡୁ ସମେତ ଅନ୍ୟ ନେତା ସାମିଲ ହେବେ । ଏନଡିଏ ସହଯୋଗୀ ଦଳ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋର୍ଡର ବୈଠକ ହେବ । ଏଥିରେ ସରକାରଙ୍କ ଶପଥ ଗ୍ରହଣ ଏବଂ ସରକାର ଗଠନର ରୂପରେଖା ଉପରେ ବିସ୍ତୃତ ଆଲୋଚନା ହେବ ।
ଏନଡିଏ ବୈଠକ ପାଇଁ ଜେଡିୟୁ ପ୍ରମୁଖ ନୀତିଶ କୁମାର ବୁଧବାର ସକାଳେ ଦିଲ୍ଲୀ ପହଞ୍ଚି ସାରିଛନ୍ତି । ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅପରାହ୍ନ ସୁଦ୍ଧା ଦିଲ୍ଲୀରେ ପହଞ୍ଚିଯିବେ । ସୂଚନାଯୋଗ୍ୟ, ୨୦୧୯ରେ ଫଳାଫଳର ୭ ଦିନ ପରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ୨୦୧୪ରେ ଏନଡିଏ ପ୍ରଥମ ଥର ସରକାରକୁ ଆସିବା ସମୟରେ ଫଳାଫଳର ୧୦ ଦିନ ପରେ ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା ।