ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି, ବିଜେଡି ଯାଇ ବିଜେପି ଆସୁଛି । ଏମିତି ସ୍ଥିତିରେ ବହୁ ବିଜେଡି ନେତା ବିଜେପିରେ ସାମିଲ ହେବା ନେଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ସମସ୍ତଙ୍କଠାରୁ ଆଗରେ ଅଛି । ଏମିତି ସ୍ଥିତିରେ କୌଣସି ଜଣେ ବିଜେପି ନେତାଙ୍କ ଡାକରାରେ ପ୍ରସନ୍ନ ଦିଲ୍ଲୀ ଯାଇଛନ୍ତି । ତେଣୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହେବା ଚର୍ଚ୍ଚାକୁ ଅଧିକ ଖୋରାଗ ଯୋଗାଇଛି ।
ପ୍ରସନ୍ନ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ନିର୍ବାଚନ ବେଳେ ସେ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ସେହିପରି ପୂର୍ବରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ ବୋଲି ସେ କହୁଥିଲେ । ଆଉ ଏବେ ବିଜେଡିର ବିପର୍ଯ୍ୟୟ ପରେ ସେ ଦଳ ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି ।
ପ୍ରସନ୍ନ ଭୁବନେଶ୍ୱର ଲୋକସଭାରୁ ୧୯୯୮ରୁ ୨୦୧୯ ଯାଏଁ ପ୍ରତିନିଧିତ୍ୱ କରୁଥିଲେ । ଓଡ଼ିଶାର ଜଣେ ବରିଷ୍ଠ ବିଜେପି ନେତା ତଥା ନବ ନିର୍ବାଚିତ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଦିଲ୍ଲୀ ଡକାଇଛନ୍ତି । ଦିଲ୍ଲୀରେ ଆଜି ବିଜେପିର ସଂସଦୀୟ ଦଳ ବୈଠକ ଥିବାବେଳେ ପ୍ରସନ୍ନଙ୍କୁ ଦିଲ୍ଲୀ ଡକାଯାଇଛି । ପ୍ରସନ୍ନଙ୍କ ସହ ସିଲଭର ଗାନ୍ଧୀ ମୋହନ ମହାପାତ୍ର ଓ ବିବେକାନନ୍ଦ ଜେନା ମଧ୍ୟ ଦିଲ୍ଲୀ ଯାଇଛନ୍ତି ।