ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ


ଭୁବନେଶ୍ୱର: ଯେଉଁ ଶ୍ରୀମନ୍ଦିର ରାତିରେ ଆଲୋକୀକରଣରେ ଝଲସି ଉଠୁଥିଲା । ନୀଳଚକ୍ର ଉପରେ ମଧ୍ୟ ଆଲୋକ ପଡୁଥିଲା, ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଦଭାସିତ ହେଉଥିଲା, ଗତକାଲି ସେହି ଶ୍ରୀମନ୍ଦିର ଅନ୍ଧାରରେ ରହିଥିଲା । ପରିକ୍ରମା ପ୍ରକଳ୍ପ କରି ବାହା ବାହା ଲୁଟିବାକୁ ଚେଷ୍ଟା କରିଥିବା ବିଜୁ ଜନତା ଦଳ ସରକାର କ୍ଷମତାଚ୍ୟୁତ ହେବା ପରେ ପ୍ରଥମ ଥର ଗତକାଲି ରାତିରେ ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ କରି ଦିଆଗଲା । ଆଉ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମନ୍ଦିର ଅନ୍ଧାରରେ ରହିବାର ବ୍ୟଥିତ କରିବା ପରି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା । ଏହାକୁ ନେଇ ଭକ୍ତଙ୍କଠୁ ନେଇ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରରେ ଆଲୋକୀକରଣ କାହିଁକି ବନ୍ଦ କରାଗଲା ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଏଥିସହ ପୁନଃ ଆଲୋକୀକରଣ ବ୍ୟବସ୍ଥା କରିବା ସହ ସ୍ଥାୟୀ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ବିଜେଡି ସରକାରଙ୍କର ପରାଜୟ ପରେ ଶ୍ରୀମନ୍ଦିର ଚାରିପଟୁ ଲାଇଟ୍ ଖୋଲି ନିଆ ଯାଇଥିବା ଅଭିଯୋଗ ହୋଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର‌୍ୟ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ଠିକାଦାର ଲାଇଟ୍ ଖୋଲିନେଇଥିବା କୁହାଯାଉଛି। ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ ଜଣଙ୍କୁ ସିଂହଦ୍ବାର ଥାନା ପୁଲିସ୍ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।