ମୋଦିଙ୍କ ଶପଥ ପରେ ଲମ୍ବା ଡିଆଁ ମାରିଲା ସେୟାର ବଜାର, ୭୭ ହଜାର ସ୍ତରକୁ ଯାଇ କଲା ରେକର୍ଡ


ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ଭାରତୀୟ ସେୟାର ମାର୍କେଟ ପୁଣି ଗତି ଧରିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ସେୟାର ବଜାର ପୁଣି ଉଛୁଳିଛି । କେବଳ ବଢ଼ିନ, ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ସପ୍ତାହର ପ୍ରଥମ ଦିନରେ ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୩୨୩.୬୪ ଅଙ୍କ ସହ ବୃଦ୍ଧି ପାଇଛି । ଏହା ପ୍ରଥମ ଥର ପାଇଁ ୭୭ ହଜାର ସ୍ତର ପାର କରିଛି । ଫଳରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ଇଣ୍ଡେକ୍ସ ମଧ୍ୟ ଭଲ ଅଗ୍ରଗତି କରିଛି । ଏହାର ୧୦୫ ନମ୍ବର ସହ ବଢିଛି । ଗତ ସପ୍ତାହରେ ଶେଷ ଦିନରେ ବିଏସଇର ସେନ୍ସେକ୍ସ ଓ ନିଫ୍ଟି ଜୋରଦାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ।

ସୂଚନାଯୋଗ୍ୟ, ଏନଡିଏ ୩୭୦ରୁ ଅଧିକ ଆସନ ହାସଲ କରିବା ସହ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ପାଇବ ବୋଲି ପ୍ରାୟ ସବୁ ଏକଜିଟ ପୋଲ କହିଥିଲେ । ଭୋଟ ଗଣତିର ଦୁଇଦିନ ପୂର୍ବରୁ ମଧ୍ୟ ପୁଣି ବିଜେପି ସରକାର ଆସୁଥିବା ଏହାର ତୁଙ୍ଗ ନେତାମାନେ କହିଥିଲେ । ଏହାପରେ ସେୟାର ବଜାରରେ ଗତି ଦେଖିବାକୁ ମିଳିଥିଲା ଏବଂ ବହୁ ପରିମାଣରେ ନିବେଶ ହୋଇଥିଲା । ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ସବୁ ଓଲଟପାଲଟ ହୋଇଯାଇଥିଲା । ଏନଡିଏ ୨୯୨ରେ ସୀମିତ ରହିଥିବା ବେଳେ ବିଜେପି ୨୪୦ ଆସନରେ ଜିତି ସଂଖ୍ୟାଗରିଷ୍ଠତାଠାରୁ ବହୁତ ପଛରେ ପଡ଼ି ଯାଇଥିଲା । ଯଦିଓ ଏନଡିଏ ସ୍ପଷ୍ଟ ବହୁମତ ପାଇଥିଲା । ତଥାପି ବିଜେପିର ନିର୍ବାଚନୀ ଫଳଫଳ ସମସ୍ତଙ୍କୁ ଝଟକା ଦେଇଥିଲା । ଯାହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିଥିଲା । ଭୋଟ ଗଣତି ଦିନ ସମୟ ଯେତେ ବିତୁଥିଲା ସେୟାର ବଜାର ନିମ୍ନଗାମୀ ହେବାରେ ଲାଗିଥିଲା । ଫଳରେ ନିବେଶକ ମାନେ ବହୁତ କ୍ଷତି ସହିଥିଲେ ।

ଏପରିକି ଏକଜିଟ ପୋଲ ଓ ସେୟାର ବଜାରକୁ ଲିଙ୍କ କରି ବଡ଼ ସ୍କାମ ହୋଇଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଥିଲେ । ମନଗଢ଼ା ଏକଜିଟ ପୋଲ କରାଇ ବିଜେପି ନିବେଶକଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ବୁଡାଇ ଦେଇଥିବା ରାହୁଲ ଅଭିଯୋଗ କରିଥିଲେ । ତେବେ ରବିକାର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପୁଣି ସେୟାର ବଜାରକୁ ନୂଆ ଜୀବନ ମିଳିଛି ।