୧୩ ଜୁନରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ


ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ପୁଣି ଫିଟିବ ଲୋକସେବା ଭବନ ଦ୍ବାର । ପୂର୍ବପରି ପୁଣି ଲୋକସେବା ଭବନକୁ ଯାଇପାରିବେ ସାମ୍ବାଦିକ । ଜୁନ ୧୩ ତାରିଖରୁ ସାମ୍ବାଦିକମାନେ ଲୋକସେବା ଭବନକୁ ଯାଇପାରିବେ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିବାକୁ ଯାଉଛି ।

ସୂଚନାଯୋଗ୍ୟ, କରୋନା ସମୟରେ ୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । ବିଜେଡି ସରକାର ଏହି କଟକଣା ଲଗାଇବାଠାରୁ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନର ଦ୍ବାର ବନ୍ଦ କରିଦିଆଯାଇଥିଲା । ତେବେ କରୋନା ସ୍ଥିତି ଆଉ ନଥିଲେ ବି ସରକାର କଟକଣା ଉଠାଉ ନଥିଲା । ଯାହାକୁ ନେଇ ବିଜେପି ବିଭିନ୍ନ ସମୟରେ ସ୍ବର ଉଠାଉଥିଲା । ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । 

ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ଦୀର୍ଘ ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇବ ରାଜ୍ୟ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ । ୧୨ରେ ନୂଆ ସରକାର ଶପଥ ନେବାକୁ ଥିବା ବେଳେ ୧୩ରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।