ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ


ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଆଜି କିଏ ହେବ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ଥିର ହେବାକୁ ଥିବା ବେଳେ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ । ଜନତା ମଇଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଭବ୍ୟ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।
ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଏବଂ ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚି ନିମନ୍ତ୍ରଣ କରିଛନ୍ତି । ବିଜେପିର ନିମନ୍ତ୍ରଣ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି ନବୀନ ।
ସେହିପରି ନୂଆ ସରକାର ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ବିଜେପି ବିଧାୟକ ଟିମ । ଟିମରେ ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ, ପ୍ରଭାତୀ ପରିଡା, ଇରାଶିଷ ଆଚାର୍ଯ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରିଛନ୍ତି । ଜଗନ୍ନାଥଙ୍କ ଆଜ୍ଞାମାଳ ଆସିଲେ ଶପଥ ସମାରୋହ ହେବ ବୋଲି କହିଛନ୍ତି ବିଜେପି ନେତା ।