ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରଥମ ବର୍ଷ ସଂଘ ଶିକ୍ଷା ବର୍ଗ ଉଦଯାପିତ,ପଶ୍ଚିମପ୍ରାନ୍ତରୁ ୧୮୦ ପ୍ରଶିକ୍ଷାର୍ଥି ନେଲେ ପ୍ରଶିକ୍ଷଣ


ସମ୍ବଲପୁର(ବାମରା):ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଘ ଶିକ୍ଷାବର୍ଗ (ସାମାନ୍ୟ)ର ସମାପନ କାର୍ଯ୍ୟକ୍ରମ ବାମରା ବ୍ଲକ କେଶେଇବାହାଲ ସ୍ଥିତ ଗୋଦାମଗୋଡା ପଡିଆଠାରେ ସମ୍ପନ୍ନ ହୋଇଯାଇଅଛି | ସମାପନ କାର୍ଯ୍ୟକ୍ରମରେ କିଶାନ ସମାଜର ସମ୍ବଲପୁର ଜିଲ୍ଲା ସଭାପତି ପଞ୍ଚାନନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ଆରଏସଏସ ପଶ୍ଚିମ ପ୍ରାନ୍ତ ସଂଘଚାଳକ ଡ.ସନାତନ ପ୍ରଧାନ ନିଜ ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଉତ୍ତମ ଚରିତ୍ର ନିର୍ମାଣ , ସଂଗଠିତ ସୁସ୍ଥ ହିନ୍ଦୁ ସମାଜ ଓ ପରମ ବୈଭବଶାଲୀ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରିଥାଏ। ସଂଘ ଶିକ୍ଷା ବର୍ଗ ହେଉଛି ଶାରୀରିକ , ମାନସିକ , ବୌଦ୍ଧିକ , ସାମାଜିକ ଓ ଆଧ୍ୟାତ୍ମିକ ବିକାଶ ତଥା ରାଷ୍ଟ୍ରୀୟ ମୂଲ୍ୟବୋଧ ସମ୍ପନ୍ନ ବ୍ୟକ୍ତି ନିର୍ମାଣ ର କାର୍ଯ୍ୟକ୍ରମ । ଶିକ୍ଷାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ଅଭିନବ ପ୍ରଶିକ୍ଷଣ କେନ୍ଦ୍ର । ସେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତ୍ୟ ,ଧର୍ମ ଓ ବିଜ୍ଞାନ ଆଧାରିତ ହିନ୍ଦୁ ଜୀବନ ପଦ୍ଧତିରେ ସାମିଲ ହୋଇ ଜୀବନକୁ ସାର୍ଥକ କରିବା ପାଇଁ ଆହ୍ଵାନ ଦେଇଥିଲେ । ବର୍ଗ କାର୍ଯ୍ୟବାହ ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ରଖିଥିଲେ। ବର୍ଗ ସର୍ବାଧିକାରୀ ପୂର୍ଣଚନ୍ଦ୍ର ସ୍ୱାଇଁ ବର୍ଗ ବିବରଣୀ ପାଠ କରିଥିଲେ । ଗତ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପଞ୍ଚମୀ ବୁଧବାର ତା ୨୮/୦୫ /୨୦୨୪ ରୁ ସଂଘ ଶିକ୍ଷାବର୍ଗ କେଶେଇବାହାଲ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜରେ ଆରମ୍ଭ ହୋଇଥିଲା । ଏଥିରେ ମୋଟ ୧୪ ଜିଲ୍ଲା ରୁ ୧୫ ରୁ ୪୦ ବର୍ଷ ଆୟୁ ମଧ୍ୟ ରେ ଥିବା ୧୮୦ ଜଣ ସ୍ଵୟଂସେବକ ଓ କାର୍ଯ୍ୟକର୍ତ୍ତା ଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ | ସେମାନଙ୍କ ମଧ୍ୟ ରୁ ଦଶମ ଓ +୨ ବିଦ୍ୟାର୍ଥୀ ୧୨୫ ଜଣ , +୩ ବିଦ୍ୟାର୍ଥୀ ୨୫ ଜଣ ଓ ଉଚ୍ଚଶିକ୍ଷା ଓ ବ୍ୟବସାୟୀ ୩୦ ଜଣ | ଏହା ଉଲ୍ଲେଖନୀୟ ଯେ ସମସ୍ତ ଶିକ୍ଷାର୍ଥୀ ନିଜେ ନିଜର ଯାତାୟାତ , ଭୋଜନ ଶୁଳ୍କ , ଓ ସଂଘ ର ଗଣବେଶ ପ୍ରସ୍ତୁତି ଖର୍ଚ ନିଜେ ବହନ କରି ବର୍ଗ ଆସିଥିଲେ | ପ୍ରତିଦିନ ପ୍ରାତଃ ୪ ଟାରୁ ଆରମ୍ଭ ହୋଇ ରାତ୍ରି ୧୦ ଟା ଦୀପ ବିସର୍ଜନ ପର୍ଯନ୍ତ ଏକ ନିର୍ଦ୍ଦିଷ୍ଟ ଯୋଜନାବଦ୍ଧ ସମୟ ସାରଣୀ ଅନୁସାରେ ଶିକ୍ଷାର୍ଥୀ , ଶିକ୍ଷକ ପ୍ରବନ୍ଧକ ଓ ଅଧିକାରୀ ଙ୍କ ଦିନଚର୍ଯ୍ୟା ଚାଲୁଥିଲା । ବର୍ଗରେ ବ୍ୟକ୍ତିର ସାମଗ୍ରିକ ଗୁଣର ବିକାଶ ପାଇଁ ଶାରୀରିକ, ବୌଦ୍ଧିକ, ବ୍ୟବସ୍ଥା କୌଶଳ, ସେବାକାର୍ଯ୍ୟ,ସମ୍ପର୍କ, ପ୍ରଚାର ଭଳି ଯୋଜନାର ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଶିକ୍ଷଣ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ୨୪ ଜଣ ଶିକ୍ଷକ ବର୍ଗ ରେ ଉପସ୍ଥିତ ଥିଲେ | ଏହାସହ ବର୍ଗର ବ୍ୟବସ୍ଥାକୁ ସୂଚାରୁ ରୂପେ ଚଳାଇବା ପାଇଁ ୪୭ ଜଣ ପ୍ରବନ୍ଧକ ମଧ୍ୟ କାର୍ଯ୍ୟ କରୁଥିଲେ। ଗୁଣାତ୍ମକ କାର୍ଯ୍ୟକ୍ରମ ଓ ମାର୍ଗଦର୍ଶନ ପାଇଁ ଅନେକ ଅଖିଳ ଭାରତୀୟ , କ୍ଷତ୍ରୀୟ ଓ ପ୍ରାନ୍ତୀୟ ଅଧିକାରୀ ଗଣଙ୍କ ଆଗମନ ହୋଇଥିଲା | ସରୋଜ କୁମାର ଦାଶ, ଦୟାସାଗର ପ୍ରଧାନ , ସଜ୍ଜନ ଖଣ୍ଡେଲୱାଲ ପ୍ରଭୃତିଙ୍କ ସହଯୋଗରେ ବର୍ଗ ପରିଚାଳିତ ହୋଇଥିଲା । ସର୍ବୋପରି ସମସ୍ତ ବ୍ୟବସ୍ଥାର ସଂଯୋଜନା ପାଇଁ ଘାଷିରାମ ସାହୁ ସର୍ବ ବ୍ୟବସ୍ଥା ପ୍ରମୁଖ ଭାବେ ଦାୟିତ୍ଵ ତୁଳାଇଥିଲେ । ଏହି ବର୍ଗ ସହ ଆଉ ୨ଟି ବର୍ଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତାହା ହେଲା ସଂଘ ଶିକ୍ଷା ବର୍ଗ (ବିଶେଷ) ଓ ଘୋଷ ବର୍ଗ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ତଥା ମୁଖ୍ୟ ବଜାର , ମୁଖ୍ୟ ଚିକିତ୍ସାଲୟ ଓ ଜଗନ୍ନାଥ ମନ୍ଦିର ପରିସର ରେ ସ୍ଵଚ୍ଛତା କାର୍ଯ୍ୟକ୍ରମ କରିଥିଲେ।