ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାଁରେ ଫେକ୍ ଆଇଡି


ଭୁବନେଶ୍ବର: ବିଜେପିର ଫାୟାର ବିଗ୍ରେଡ ନେତା ମୋହନ ଚରଣ ମାଝୀ ଓଡ଼ିଶାର ଶାସନ ଭାର ସମ୍ଭାଳିଛନ୍ତି । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ଶପଥ ନୋର ଦିନଟିଏ ଯାଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ ଆଇଡି କରାଯାଇଥିବା କଥା ପଦାକୁ ଆସିଛି । ତାଙ୍କ ନାଁରେ ଖୋଲିଛି ଫେକ୍‌ ‘X’ ଆକାଉଣ୍ଟ । ଆଉ ସେହି ଆକାଉଣ୍ଟରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ ହେଉଛି । ଆଜି 5-T ଓ ମୋ ସରକାରକୁ ନେଇ ଏକ ଫେକ୍‌ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏଥିସହ ଫେକ୍‌ ଓ ପ୍ରକୃତ ଆଇଡିର ହୋମ୍‌ ପେଜ୍‌ ପୋଷ୍ଟ ସେୟାର କରିଛି ।

ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି (ଫେକ୍‌ ଓ ପ୍ରକୃତ)ର ମାଷ୍ଟହେଡ୍‌ ସମାନ ରହିଛି । ଫେକ୍‌ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି ।

ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍‌ ‘X’ ଆକାଉଣ୍ଟରେ 5T ଓ ମୋ ସରକାର ହଟାଗଲା ବୋଲି ଲେଖାଯାଇଥିଲା । ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ଏହା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶନ ପରେ ତତ୍ପର ହୋଇଥିଲା ଓଡ଼ିଶା ସରକାର । 5T ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘X’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା ।