Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ସ୍ୱପ୍ନ ଚୂରମାର କଲା ବର୍ଷା, ଟି-୨୦ ବିଶ୍ୱକପରୁ ବିଦା ହେଲା ବାବର ବାହିନୀ

ଫ୍ଲୋରିଡା: ଫ୍ଲୋରିଡ଼ାରେ ଆମେରିକା ଏବଂ ଆୟରଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଏଥିରେ ପାକିସ୍ତାନ ଦଳକୁ ଶକ୍ତ ଝଟକା ଲାଗିଛି । ଏଥିରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିବା ବେଳେ ଆମେରିକା ପାଞ୍ଚ ପଏଣ୍ଟ ସହ ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି । ମ୍ୟାଚ୍ ବାତିଲ ହେବାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିଛି। ୨୦୦୯ର ଚାମ୍ପିଅନ ପାକିସ୍ତାନ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିବା ସହ ବିଶ୍ଵକପରୁ ବିଦା ହୋଇଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରି ବଡ଼ ଦଳ ବିଶ୍ଵକପରୁ ବିଦା ହୋଇ ସାରିଛନ୍ତି।

ଗତ କିଛି ଦିନ ହେବ ଫ୍ଲୋରିଡ଼ାରେ ଲଗାତାର ବର୍ଷା ଜାରି ରହିଛି। ମ୍ୟାଚରେ ୮୦ ପ୍ରତିଶତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ମ୍ୟାଚ୍ ପୂର୍ବରୁ ପ୍ରବଳ ବର୍ଷା ହୋଇଥିଲା । ତଥାପି ମ୍ୟାଚ୍ ଆୟୋଜନ ପାଇଁ ସାଢେ ତିନି ଘଣ୍ଟା ଅପେକ୍ଷା କରାଯାଇଥିଲା। ପଡ଼ିଆ କର୍ମଚାରୀ ପଡ଼ିଆକୁ ସୁଖାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଖରାପ ଆଉଟ୍ ଫିଲ୍ଡ ଏବଂ ପୁଣି ଥରେ ବର୍ଷା ହେବାରୁ ବିନା ଟସରେ ମ୍ୟାଚ୍ ରଦ୍ଦ ହୋଇଛି। ମ୍ୟାଚ୍ ବାତିଲ ହେବାର ଫାଇଦା ଆମେରିକାକୁ ମିଳିଛି ଏବଂ ଦଳ ପାଞ୍ଚ ପଏଣ୍ଟ ସହ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଟି-୨୦ ବିଶ୍ଵକପ୍ ଇତିହାସରେ ଏମିତି ସପ୍ତମ ଥର ଘଟିଛି, ଯେଉଁଠି ଆସୋସିଏଟ ଦେଶ ଟି-୨୦ ବିଶ୍ଵକପରେ ସୁପର-୮ରେ ପ୍ରବେଶ କରିଛି। ଏହା ପୂର୍ବରୁ ୨୦୦୯ରେ ଆୟରଲାଣ୍ଡ, ୨୦୧୪ରେ ନେଦରଲାଣ୍ଡ, ୨୦୧୬ରେ ଆଫଗାନିସ୍ତାନ, ୨୦୨୧ରେ ନାମିବ୍ୟା, ୨୦୨୧ରେ ସ୍କଟଲ୍ୟାଣ୍ଡ ଏବଂ ୨୦୨୨ରେ ନେଦରଲ୍ୟାଣ୍ଡ ସୁପର-୮ରେ ପହଞ୍ଚିଥିଲେ। ତେବେ ବିଶ୍ୱକପ୍ ୨୦୨୪ରେ ଏକାଧିକ ବଡ ବିପର୍ଯ୍ୟୟ ଘଟିଛି ।

ଆମେରିକା ଓ ଆୟରଲାଣ୍ଡ ମ୍ୟାଚ୍ ରଦ୍ଦ ହେବାର ପରିଣାମ କେବଳ ପାକିସ୍ତାନକୁ ଭୋଗିବାକୁ ପଡିନି । ତା ସହିତ ଆୟରଲାଣ୍ଡ ଓ କାନାଡ଼ା ବି ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ ୬ଟି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏଥିରେ ଭାରତ, ଆମେରିକା, ଓ୍ଵେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସାମିଲ। ଅବଶିଷ୍ଟ ଦୁଇଟି ଦଳ ଭାବେ ଇଂଲଣ୍ଡ ଓ ବାଂଲାଦେଶ ସୁପର-୮ରେ ପହଞ୍ଚିବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ