ଅଂଶୁଘାତ ଓଡ଼ିଶାରେ ନେଲାଣି ୪୧ ଜୀବନ


ଭୁବନେଶ୍ବର: ଅସହ୍ୟ ତାତିକୁ ଗୁଳୁଗୁଳି କରୁଛି କଲବଲ । ଗ୍ରୀଷ୍ମ ପ୍ରବାହ ଏତେ ପ୍ରଖର ଯେ, ଦିନ ୮ଟା ପରେ ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ଏମିତି ସ୍ଥିତିରେ ରାଜ୍ୟରେ ଚଳିତବର୍ଷ ଏଯାବତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ସତ୍ୟବ୍ରତ ସାହୁ ଏ ନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା । ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଆଉ କିଛି ସ୍ଥାନରୁ ରିପୋର୍ଟ ଆସି ନାହିଁ । ଆହୁରି ୩ରୁ ୪ ଦିନ ଖରା ହେବା ନେଇ ପାଣିପାଗ ବିଭାଗ ସୂଚନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୩ ତାରିଖରୁ ଏପର୍ଯ୍ୟନ୍ତ ଆଉ ଅଂଶୁଘାତ ଜନିତ ଅଭିଯୋଗ ଆସିନାହିଁ ବୋଲି ଏସ୍‌ଆରସି କହିଛନ୍ତି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଉପକୂଳ ଓଡ଼ିଶାରେ ତାତି ଆହୁରି ୩ରୁ ୪ ଦିନ କଲବଲ କରିବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‌ ୧ରୁ ଆଜି ଯାଏଁ ରାଜ୍ୟରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୋରାପୁଟ ଛୁଇଁବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ପଟ୍ଟାଙ୍ଗୀ, କୋରାପୁଟ, କୁନ୍ଦୁରା ଓ ନନ୍ଦପୁର ଅଂଚଳରେ ବର୍ଷା ହୋଇଛି ।