Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ମନ୍ଦିର ମାଳିନୀ ସହର,ସଂସ୍କୃତି ଓ ସଭ୍ୟତାର ବଡ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କରିଥିଲେ । ସେହିପରି ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିର ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ମନ୍ଦିର ମାଳିନୀ ସହର । ଏକ ଆଧ୍ୟାତ୍ମିକ ସହର । ଏଠାରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁରକୁ ଏହା ମୋର ପ୍ରଥମ ଗସ୍ତ । ଏଠାକାର ମନ୍ଦିର ଗୁଡିକ କେବଳ ଆସ୍ଥାର କେନ୍ଦ୍ର ନୁହେଁ, ସଭ୍ୟତା ଓ ସଂସ୍କୃତିର ବଡ ପ୍ରୟୋଗଶାଳା । ସ୍ଥାନୀୟ ଜୀବନଜୀବନକୁ ଭଲରେ ବୁଝିବା ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ମିଶିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି ।ମନ୍ଦିର ଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ । ସମ୍ବଲପୁରର ବରିଷ୍ଠ ଲୋକମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସ୍ଥାନୀୟ ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ । ଏକ ସ୍ୱଚ୍ଛ, ସୁନ୍ଦର, ବିକଶିତ ଓଡ଼ିଶା ସହ ବିକଶିତ ସମ୍ବଲପୁର ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।