ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପାଇଁ ଆଜି ହେବ ଗମ୍ଭୀରଙ୍କ ଇଣ୍ଟରଭ୍ୟୁ, ରିପୋର୍ଟରୁ ଖୁଲାସା


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିଲା । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୂର୍ବତନ ଓପନିଂ ବ୍ୟାଟର ଗୌତମ ଗମ୍ଭୀରଙ୍କ ରୂପେ ମିଳି ଯାଇଛି କୋଚ୍ ପାଇଁ ସବୁଠୁ ବଡ ଆଶାୟୀ । ରିପୋର୍ଟ ଅନୁଯାୟୀ, ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପାଇଁ ଏକମାତ୍ର ଆଶାୟୀ ରହିଛନ୍ତି ଏବଂ ଆଜି ତାଙ୍କର ସାକ୍ଷାତକାର ହେବାକୁ ଯାଉଛି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) ଜୁମ କଲ ଜରିଆରେ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ନେବେ । ଏହି କମିଟିରେ ଅଶୋକ ମାଲହୋତ୍ରା, ଜତିନ ପରାଞ୍ଜପେ ଓ ସୁଲକ୍ଷଣା ନାଇକ ରହିଛନ୍ତି । ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଗମ୍ଭୀର କୋଲକାତା ନାଇଟ ରାଇଡର୍ସର କୋଚ୍ ଅଛନ୍ତି । ଏଥର କେକେଆରକୁ ଚାମ୍ପିଅନ କରାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯଦି ସେ ଭାରତୀୟ ଦଳର ମୁଖ୍ୟ କୋଚ୍ ହୁଅନ୍ତି ତେବେ ତାଙ୍କୁ କେକେଆରର କୋଚ୍ ପଦ ଛାଡିବାକୁ ପଡିବ ।

ବର୍ତ୍ତମାନ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ବିଶ୍ୱକପ୍ ୨୦୨୪ରେ ସରିବାକୁ ଯାଉଛି । ଏହା ପରେ ଭାରତୀୟ ଦଳକୁ ମିଳିଯିବ ନୂତନ କୋଚ୍ । ବିସିସିଆଇ ହେଡ୍ କୋଚ୍ ପାଇଁ ମେ ୧୩ରେ ଆବେଦନ ଫର୍ମ ଜାରି କରିଥିଲା, ଯାହାର ଅନ୍ତିମ ତାରିଖ ମେ ୨୭ ତାରିଖ ଥିଲା । ରାହୁଲ ଦ୍ରାବିଡ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ । ଆଉ ଏବେ ସବୁଠୁ ଆଗରେ ଗମ୍ଭୀର ରହିଛନ୍ତି ।