ଭୁବନେଶ୍ୱର: ଆଜିଠୁ ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିପାଇଁ ସମସ୍ତ ବିଧାୟକ ବିଧାନସଭାରେ ପହଞ୍ଚିଛନ୍ତି । ସମ୍ବଲପୁରର ବିଧାୟକ ତଥା ବିଜେପିର ଟାଣୁଆ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ସମୟରେ ତାଙ୍କୁ ମନ୍ତ୍ରୀ ପଦ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ନ ହେବାର କିଛି ଅବଶୋଷ ନାହିଁ ବୋଲି ଉତ୍ତରରେ କହିଛନ୍ତି ଜୟନାରାୟଣ ମିଶ୍ର ।
ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନର ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି, ମୋର ତ ଶପଥ ନେବାର ନ ଥିଲା, କାହିଁକି ଯାଇଥାନ୍ତି । ଏବେ ନବ ଦାସ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଉ । ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି ।
ସୂଚନାଯୋଗ୍ୟ, ମୋହନ ମାଝୀ ସରକାରଙ୍କ ମନ୍ତ୍ରି ପରିଷଦରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୧୬ ଜଣ ମନ୍ତ୍ରୀ ପଦ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ୮ ଜଣ କ୍ୟାବିନେଟ୍ ପାହ୍ୟା ପାଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଦାୟିତ୍ୱ ପାଇଛନ୍ତି । ତେବେ ଜୟନାରାୟଣ ମିଶ୍ରଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନାହିଁ । କିନ୍ତୁ ମନ୍ତ୍ରୀ ପଦ ପାଇବାରେ ସେ ଥିଲେ ପ୍ରବଳ ଦାବିଦାର । ତେବେ ତାଙ୍କୁ କାହିଁକି ନୂଆ ସରକାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲାନି ତାହା ଅସ୍ପଷ୍ଟ ରହିଛି । କୁହାଯାଉଛି ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଦାୟିତ୍ୱ ନେବାକୁ ଆଗ୍ରହୀ ନ ଥିଲେ ।