Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବେ ବିରୋଧୀ ଦଳ ନେତା ? ଆଜି ବସୁଛି ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ନିର୍ବାଚନ ଫଳାଫଳକୁ ୧୫ ଦିନ ବିତି ସାରିଛି । ବିଜେପି ନେତୃତ୍ୱରେ ସରକାର ଗଠନ ହୋଇ କାର୍ଯ୍ୟ ବି ଆରମ୍ଭ ହୋଇ ସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ବିଜେଡି ଶିବିରରେ ଅସମ୍ଭବ ନିବବତା ଲାଗି ରହିଛି । କିଏ ହେବେ ବିରୋଧୀ ଦଳ ନେତା ଏ ପର୍ଯ୍ୟନ୍ତ ୨୪ ବର୍ଷ ଧରି ଓଡିଶାରେ ଶାସନ କରିଥିବା ଦଳ ବିଜେଡି ଦଳ ସ୍ଥିର କରି ପାରିନାହିଁ । କୁହାଯାଉଛି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁରେ ବହୁ ବିଧାୟକ ପ୍ରସ୍ତାବ ଦେଇଥିବା କୁହାଯାଉଛି ।

ଉଲ୍ଲେଖନୀୟ ସର୍ବଦା ବିଜୟର ସ୍ୱାଦ ଚାଖି ଆସିଥିବା ବିଜେଡି ପ୍ରଥମ ପରାଜୟକୁ ସହଜରେ ଗ୍ରହଣ କରି ପାରୁନାହିଁ । ଦଳର ନେତାଙ୍କୁ ମଧ୍ୟ ଏ ଯାଏ ବିଶ୍ୱାସ ହେଉନି ଯେ, ସେମାନେ କ୍ଷମତାରୁ ବେଦଖଲ ହୋଇଛନ୍ତି । କ୍ରମାଗତ ୫ ଥର ନିର୍ବାଚନ ଜିତି ଏଥର ବି ଜିତିବାର ଅତିଶୟ ଆତ୍ମ ବିଶ୍ୱାସରେ ଭରପୁର ଥିବା ବିଜେଡି ପରାଜୟ ପାଇଁ ଅପ୍ରସ୍ତୁତ ଥିଲା । ତେଣୁ ଦଳ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ସ୍ଥିର କରି ପାରି ନାହିଁ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ବହୁତ କମ ବିଧାନସଭା ଆସୁଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେଡି ଜଣେ ଉପନେତା ରଖିବାକୁ ବିଚାର କରୁଛି । ତେଣୁ ଉପନେତା ଦୌଡରେ ଆଗରେ ରହିଛନ୍ତି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।

ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଆଜି ବିଜେଡିର ବିଧାୟକ ଦଳ ବୈଠକ ବସୁଛି । ଏଥିରେ ସ୍ଥିର କରାଯିବ ଯେ, କିଏ ହେବେ ବିରୋଧୀ ଦଳ ନେତା ।