Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କମିଟି ର ସମ୍ପୃକ୍ତ ଅଧିକାରୀ ତଥା ଡିଏସପି, ମୁଖ୍ୟଯନ୍ତ୍ରୀ ପୂର୍ତ୍ତ ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ, ରେଆର ସମ୍ପାଦକ, ଘରୋଇ ବସ ମାଲିକ ସଂଘର ସଭାପତି ଶ୍ରୀ ପୁରୁଷୋତ୍ତମ ପାଣିଗ୍ରାହୀ, ଟ୍ରକ ମାଲିକ ସଂଘର ସମ୍ପାଦକ ଶ୍ରୀ ସମାରୁ ସାହୁ ଉପସ୍ଥିତ ରହି ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ଦେଇଥିଲେ। ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ମୁନିସିପାଲିଟି ଅଧିକାରୀଙ୍କ ଅନୁପସ୍ଥିତିକୁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ , ଆଲୋଚନାର ମୁଖ୍ୟାଂଶ ରେ ଜିଲ୍ଲାପାଳ ପଟାଭାଡି ଛକ, ବ୍ଲକ ଛକ, ବୁଢାରଜା ଛକ ଓ ନଳିନୀ ଛକ ଠାରେ ତୁରନ୍ତ ସିସିଟିଭି କ୍ୟାମେରା ସଂଯୋଗ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ୫୭ନମ୍ବର ଜାତୀୟ ରାଜପଥ ର ନିର୍ବାହୀ ଯନ୍ତ୍ରୀ ବଲାଙ୍ଗୀରଙ୍କୁ ସୋନପୁର ଠାରୁ ତରଭା ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସ୍ଥାନ ମାନଙ୍କରେ ହମ୍ପସ ନିର୍ମାଣ କରାଇ ଉକ୍ତ ଜାଗା ମାନଙ୍କରେ ଫଳକ ସଂଲଗ୍ନ କରିବା ପାଇଁ ନିର୍ଦେଶ ଦେଇଥିଲେ। ସୋନପୁର ମୁନିସିପାଲିଟି ଅଧିକାରୀଙ୍କୁ ଜିଲ୍ଲାପାଳ ବୁଢାରଜା ଛକ ଠାରେ ଅସ୍ଥାୟୀ ଭାବେ ଦୋକାନ ଘର ନିର୍ମାଣ କରି ରାସ୍ତା ସଂକୋଚନ କରିବାରୁ ଦୁର୍ଘଟଣା ମାତ୍ରା ବଢିବାର ସମ୍ଭାବନା କୁ ଆଖି ଆଗରେ ରଖି ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ। ଉକ୍ତ ସଭାରେ ଦୁର୍ଘଟଣା ଗ୍ରସ୍ତଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିବା ୧୪ ଜଣଙ୍କୁ ଗୁଡ଼ ସାମରିଟନ ପଲିସିରେ ୨୦୦୦ ଟଙ୍କା ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା। କମ୍ବୁପାଣି ସାହୁ, ବିନୋଦ ଘଡିଆ, ସତ୍ୟ ଠେଲା, ଶ୍ରୀକାନ୍ତ ପଣ୍ଡା, ପ୍ରତିମା ବଗର୍ତ୍ତୀ (ଟ୍ରାଫିକ କନେଷ୍ଟବଳ ), ରଜତ କୁମାର ମହାକୁଡ଼, ତପନ ସାହୁ, ମଦନ କୁମାର ବାରିକ, ମୋହନ ବନଛୋର, ଶରତ କୁମାର ମେହେର, କମଲ ଅଗ୍ରୱାଲା, ଶୁଭମ ପଣ୍ଡା, ରାଜ କୁମାର ମେହେର (୨), ପିତାମ୍ବର ପଧାନ (୨ ) ଙ୍କୁ ଗୁଡ ସାମରିଟନ ପଲିସି ରେ ପୁରସ୍କୃତ କରାଯାଇଥିଲା।ଉକ୍ତ ସଭାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ସଭା ସଂଚାଳନ କରି ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ସମ୍ପର୍କରେ ସହଯୋଗ କାମନା କରିଥିଲେ , ଶେଷରେ ଏମଭିଆଇ ଶ୍ରୀ ବିଶ୍ୱରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ