ଆଜି ସୁପର-୮ରେ ବାଂଲାଦେଶକୁ ଭେଟିବ ଭାରତ, ଏମିତି ରହିପାରେ ଦଳର ଚୂଡାନ୍ତ ଏକାଦଶ


ପୁରୀ: ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ବାଂଲାଦେଶ ପରାଜୟ ଭୋଗିଛି । ଏହି ମ୍ୟାଚ୍ ଜିତି ଭାରତ ସେମି ଫାଇନାଲ୍ ପାଇଁ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବାଂଲାଦେଶର ନଜର ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ଉପରେ ରହିଛି । ଏହି କାରଣରୁ ଏହି ମ୍ୟଚ୍ ଆଜି ରୋଚକ ହେବାର ସମ୍ଭାବନା ରହିଛି । ଆଜିର ମୁକାବିଲାରେ କେମିତି ରହିପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବେଶ ସନ୍ତୁଳିତ ରହିଛି । ଦଳ ଏ ପର୍ଯ୍ୟନ୍ତ ଗୋଟିଏ ପରିବର୍ତ୍ତନ ଘଟିଛି । ନ୍ୟୁୟର୍କ ପିଚରେ ଭାରତ ତିନି ବିଶେଷଜ୍ଞ ଦ୍ରୁତ ବୋଲର ସହ ଖେଳିଥିବା ବେଳେ ୱେଷ୍ଟଇଣ୍ଡିଜ ପିଚରେ ଭାରତ ତିନି ସ୍ପିନରଙ୍କୁ ନେଇ ଖେଳୁଛି । ଗତ ମ୍ୟାଚ୍ ଭାରତ ଜିତିଥିବାରୁ ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ଖୁବ କମ ରହିଛି । ତଥାପି ଶିବମ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେବା କଥା ସାମ୍ନାକୁ ଆସୁଛି । ତଥାପି ଦୁବେଙ୍କୁ ଆଉ ଏକ ସୁଯୋଗ ମିଳିପାରେ ।

ଭାରତର ସବୁଠୁ ଚିନ୍ତା ଏହା ଯେ, ଦୁଇ ତାରକା ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟରୁ ଆଶାନୁରୂପ ରନ ବାହାରୁନି । ଦୁହେଁ ଓପନିଂ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ଦଳକୁ ଭଲ ଆରମ୍ଭ ଦେଇ ପାରି ନାହାନ୍ତି । ଫଳରେ ଦଳର ମଧ୍ୟକ୍ରମ ଉପରେ ଚାପ ପଡୁଛି । ସୂର୍ଯ୍ୟକୁମାର ଯାଦବ ମଧ୍ୟକ୍ରମରେ ମୋର୍ଚ୍ଚା ସମ୍ଭାଳି ମ୍ୟାଚ୍ ବିଜୟୀ ଇନିଂସ ଖେଳୁଥିବାରୁ ଭାରତକୁ ବଡ ଆଶ୍ୱସ୍ତି ମିଳିଛି । ତଥାପି ଆଜିର ମ୍ୟାଚରେ ସଭିଙ୍କ ନଜର ରୋହିତ ଓ କୋହଲିଙ୍କ ଉପରେ ରହିବ ।

ଭାରତୀୟ ଦଳର ସମ୍ଭାବିତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା ।