ମନୋଜ ଆହୁଜା ନା ପ୍ରଦୀପଙ୍କ ବଢିବ କାର୍ଯ୍ୟକାଳ, ମୁଖ୍ୟ ସଚିବଙ୍କୁ ନେଇ ବଢିଲା ସସପେନ୍ସ


ଭୁବନେଶ୍ଵର: କିଏ ହେବେ ରାଜ୍ୟର ନୂଆ ମୁଖ୍ୟ ସଚିବ । ଏହାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ଚାକିରି ଆଉ ୬ମାସ ଥିବା ବେଳେ ହଠାତ୍ କେନ୍ଦ୍ରରୁ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା ଫେରିବା ପାଓ୍ବାର କରିଡରରେ ହଲଚଲ ସୃଷ୍ଟି କରିଛି। ମନୋଜ ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଜୋରଧରିଛି ଏମିତି କିଛି ଚର୍ଚ୍ଚା । କାରଣ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ସରୁଛି । ସରକାର ତାଙ୍କର କାର୍ଯ୍ୟକାଳ ବଢାଇବେ ନା’ ନୂଆ କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।

୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ଏବେ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ଯାହାକୁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ଫଳରେ ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ମୁଣ୍ଡ ଉପରେ ରଥଯାତ୍ରା ଥିବାରୁ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି । ତେଣୁ ପ୍ରଦୀପଙ୍କ କାର୍ଯ୍ୟକାଳ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ୁଛି ତାହେଲେ ମନୋଜ ଆହୁଜାଙ୍କୁ ସିଏମଓରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ।

ଯେହେତୁ ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି ତେଣୁ ଜଣେ ଓଡ଼ିଆ ହିଁ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଦୌଡରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କ ନାଁ ଆଗରେ ରହିଛି । ଯିଏ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଖୁବ୍ ନିରପେକ୍ଷ ଭାବେ ୨୦୨୪ ନିର୍ବାଚନ ପରିଚାଳନା କରିଥିଲେ । ତେବେ ମୁଖ୍ୟ ଶାସନ ସଚିବ ବାଛିବା ବେଳେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ଭିତରେ ଯେମିତି ବିଭେଦ ସୃଷ୍ଟି ନହୁଏ ସେଥି ପ୍ରତି ମଧ୍ୟ ଗୁରୁତ୍ବ ଦେଇପାରନ୍ତି ସରକାର ।

ସେହିଭଳି ନୂଆ ସରକାର ଖୁବ୍ ଶୀଘ୍ର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳରେ ମଧ୍ୟ କେଉଁ ଅଧିକାରୀ ରହିବେ ତାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନି । ତେବେ ଏସବୁ ଉପରେ ରହିବ ନଜର ।