ନୂଆଦିଲ୍ଲୀ: ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍୍ ୨୦୨୪ରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଦଳ ଉପରେ ଥିବା ଚୋକର୍ସ ଟ୍ୟାଗ୍ ମଧ୍ୟ ହଟିଛି । ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପର ଫାଇନାଲରେ ପାଦ ଦେଇଛି । ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୧.୫ ଓଭରରେ ମାତ୍ର ୫୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ହରାଇ ୬୭ ବଲ୍ ବଳକା ଥାଇ ମ୍ୟାଚକୁ ଜିତି ନେଇଛି ।
ତ୍ରିନିଦାନର ବ୍ରାଏନ ଲାରା ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଅଧିନାୟକ ରଶିଦ ଖାନଙ୍କ ଏହି ନିଷ୍ପତ୍ତି ବୁମେରାଂ ପାଲଟିଲା । ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ଭୁଶୁଡିଗଲା ଆଫଗାନିସ୍ତାନ ଇନିଂସ । ଦଳର ବ୍ୟାଟର ବିପକ୍ଷ ବୋଲରଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିଲେ । ଦଳର ୧୦ ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନ ଥିଲେ । ଅଜମତୁଲ୍ଲା ଉମରଜାଇ ସର୍ବାଧିକ ୧୦ ରନ କରିଥିଲେ । ଦଳ ୧୧.୫ ଓଭରରେ ୫୬ ରନରେ ଅଲଆଉଟ୍ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ଓ ତବରେଜ ସମ୍ସି ପ୍ରତ୍ୟେକ ୩ଟି ଲେଖାଏଁ ସଫଳତା ପାଇଥିଲେ ।
୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭ ଖରାପ ଥିଲା । ଦ୍ୱିତୀୟ ଓଭରରେ କ୍ୱିଣ୍ଟନ ଡିକକ୍ ୫ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଦଳର ଆଉ କୌଣସି କ୍ଷତି ଘଟି ନ ଥିଲା । ଦ୍ୱିତୀୟ ୱିକେଟ୍ ଭାଗିଦାରୀରେ ରିଜା ହେଣ୍ଡ୍ରିକ୍ସ ଓ ଅଧିନାୟକ ଆଡନ ମାରକ୍ରମ ଅବିଭାଜିତ ୫୫ ରନ ଯୋଡି ଦଳକୁ ଜିତାଇଛନ୍ତି । ରିଜା ୨୫ ବଲରୁ ୩ ଚୌକା ଓ ୧ ଛକା ସହ ୨୯ ରନ ଓ ମାରକ୍ରମ ୨୧ ବଲରୁ ୪ ଚୌକା ଜରିଆରେ ୨୩ ରନ କରି ଅପରାଜିତ ଥିଲେ ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଦଳ ଚୋକର୍ସ ନାମରେ ପରିଚିତ । ଦଳ ସର୍ବଦା ନକଆଉଟ୍ ମୁକାବିଲାରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ଆସିଛି । ହେଲେ ପ୍ରଥମ ଥର ଦଳ ସେମି ଫାଇନାଲ୍ ଜିତି ଫାଇନାଲରେ ପହଞ୍ଚି ନିଜ ଉପରେ ଲାଗିଥିବା ଚୋକର୍ସ ଟ୍ୟାଗକୁ ହଟାଇବାରେ ସଫଳ ହୋଇଛି।