ଇଂରେଜଙ୍କଠୁ ପ୍ରତିଶୋଧ ନେବାକୁ ଓହ୍ଲାଇବ ରୋହିତ ବାହିନୀ, ଆଜି ଟି-୨୦ ବିଶ୍ୱକପରେ ସେମି ଫାଇନାଲ୍ ଲଢେଇ


ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଇଂଲଣ୍ଡ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ । ଗତ ୨୦୨୨ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ଇଂଲଣ୍ଡ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଥିଲା । ଆଉ ଏବେ ଉକ୍ତ ପରାଜୟର ପ୍ରତିଶୋଧ ନେବା ପାଇଁ ରୋହିତ ବାହିନୀଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଆଉ ଗତ ଏକ ଦଶନ୍ଧି ଧରି ନକଆଉଟରେ ପରାଜିତ ହେଉଥିବା ଭାରତୀୟ ଦଳକୁ ଏହି ଟ୍ୟାଗ ହଟାଇବାକୁ ପଡିବ ।

ଗତ ଯେବେ ଦୁଇ ଦଳ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିଲା, ସେହି ସମୟରେ ଭାରତକୁ ୧୦ ୱିକେଟ୍‌ରେ ହରାଇଥିଲା ଇଂଲଣ୍ଡ । ଏବେ ପ୍ରୋଭିଡେନ୍ସ ଷ୍ଟାଡିୟମରେ ସମ୍ଭାବିତ ପରିସ୍ଥିତିକୁ ଦେଖି କାଗଜ କଲମରେ ଭାରତୀୟ ଦଳ ମଜବୁତ ଲାଗୁଛି ଏବଂ ପ୍ରତିଶୋଧ ନେବା ପାଇଁ ମଧ୍ୟ ପ୍ରସ୍ତୁତ । ଏହି ପିଚ୍ ସ୍ପିନ ଉପଯୋଗୀ ହୋଇଥିବାରୁ ଭାରତର କୁଲଦୀପ ଯାଦବ ଓ ଇଂଲଣ୍ଡର ଆଦିଲ ରଶିଦଙ୍କ ଉପରେ ସଭିଙ୍କ ନଜର ରହିବ ।

ଜୁନ ୮ ପରେ ଏହି ଷ୍ଟାଡିୟମରେ କୌଣସି ମ୍ୟାଚ୍ ଖେଳା ଯାଇ ନାହିଁ । ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପିଚ୍ ପ୍ରସ୍ତୁତ କରିବାକୁ ପିଚ୍ କ୍ୟୁରେଟରଙ୍କ ପାଖରେ ଅତିରିକ୍ତ ସମୟ ମିଳିଛି । ଭାରତ ଓ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ସେମିରେ ପହଞ୍ଚିଛି । କିନ୍ତୁ ଇଂଲଣ୍ଡ ପରାଜୟର ସ୍ୱାଦ ଚାଖିଥିବା ବେଳେ ଭାରତ ଏ ପର୍ଯ୍ୟନ୍ତ ଅପରାଜୟ ରହିଛି । ତେବେ ଭାରତ ସର୍ବଦା ସେମି ଫାଇନାଲରେ ଅତ୍ୟଧିକ ଚାପରେ ଅନେକ ତ୍ରୁଟି କରି ଆସିଛି ।

ଦୁଇ ଦଳ ମଧ୍ୟରେ ଅଦ୍ୟାବଧି ମୋଟ୍ ୨୩ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଭାରତ ୧୨ ଏବଂ ଇଂଲଣ୍ଡ ୧୧ଟି ମ୍ୟାଚ୍ ଜିତିଛି । ଅର୍ଥାତ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କଠୁ ବଡ ଇନିଂସ ଆଶା କରାଯାଉଛି । କାରଣ ସେ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରିବାରେ ବିଫଳ ହୋଇଛନ୍ତି । ରୋହିତଙ୍କଠୁ କ୍ରିକେଟ୍ ପ୍ରେମୀ ଆଉ ଏକ ବିସ୍ଫୋରକ ଇନିଂସ ଆଶା ରଖିଛନ୍ତି ।

ଭାରତ ଏହି ମ୍ୟାଚରେ ବିନା ପରିବର୍ତ୍ତନରେ ମଇଦାନକୁ ଓହ୍ଲାଇପାରେ । ତେବେ ଦଳ ପାଖରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ରହିଛନ୍ତି । ଯିଏ ଇଂଲଣ୍ଡର ଫିଲ୍ ସଲ୍ଟ, ଜୋସ୍ ବଟଲର, ହ୍ୟାରି ବ୍ରୁକ ଓ ଜୋନି ବେୟାରଷ୍ଟୋଙ୍କ ପରି ଡାହାଣହାତୀ ବ୍ୟାଟରଙ୍କ ବିପକ୍ଷରେ ଉପଯୋଗୀ ସାବ୍ୟସ୍ତ ହୋଇ ପାରନ୍ତି ।

ଚହଲଙ୍କୁ ଏ ପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ମିଳିନି ଏବଂ ଆଗକୁ ଏହା ମଧ୍ୟ ଜାରି ରହିପାରେ । କାରଣ ଭାରତ ପାଖରେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ପରି ସ୍ପିନ ବୋଲର ଅଛନ୍ତି । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହଇରାଣରେ ପକାଇ ପାରନ୍ତି ଜୋଫ୍ରା ଆର୍ଚର । ଏମାନଙ୍କ ମଧ୍ୟରେ ଆଜି କଡା ଟକ୍କର ଦେଖିବାକୁ ମିଳିପାରେ ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.