ଇଂଲଣ୍ଡକୁ ହରାଇ ୨୦୨୨ର ପ୍ରତିଶୋଧ ନେଲା ଭାରତ, ଫାଇନାଲରେ ଦ. ଆଫ୍ରିକା ସହ ମୁକାବିଲା


ଗୁଏନା: ଇଂଲଣ୍ଡକୁ ଶୋଚନୀୟ ଭାବେ ହରାଇ ଟି-୨୦ ବିଶ୍ୱକପ୍ ୨୦୨୪ର ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ । ଏଥିସହ ୨୦୨୨ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ରୋହିତ ବାହିନୀ । ଜୁନ ୨୯ ତାରିଖ ଶନିବାର ଫାଇନାଲ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଏହା ସହିତ ୧୦ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଭାରତ । ଶେଷ ଥର ଦଳ ୨୦୧୪ରେ ଫାଇନାଲରେ ପ୍ରବେଶ କରି ଶ୍ରୀଲଙ୍କା ନିକଟରୁ ପରାଜୟ ଭୋଗିଥିଲା ।

ଗୁରୁବାର ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୪ର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ରୋହିତ ବାହିନୀ । । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ପରେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ଭାରତ ଇଂରେଜକୁ ମାତ ଦେଇଛି । ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମାଙ୍କ ୫୭ ରନ ଓ ସୂର୍ଯ୍ୟକୁମାର ଯାଦବ ୪୭ ରନର ଦମଦାର ଇନିଂସ ବଳରେ ୭ ୱିକେଟ୍ ହରାଇ ୧୭୧ ରନ କରିଥିଲା । ଜବାବରେ ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ହାରି ବ୍ରୁକ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜୋସ ବଟଲର ୨୩ ଓ ଜୋଫ୍ରା ଆର୍ଚର ୨୧ ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ, ଅକ୍ଷର ପଟେଲ୍ ଘାତକ ବୋଲିଂ କରି ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯଶପ୍ରୀତ ବୁମରା ୨ଟି ସଫଳତା ହାସଲ କରିଛନ୍ତି ।

୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡର ଦୁଇ ଓପନର ଫିଲିଲ ସଲ୍ଟ ଓ ଜୋସ ବଟଲର ଓପନିଂରେ ୨୬ ରନ ଯୋଡିଥିଲେ । କ୍ରିଜରେ ଜମି ଆସୁଥିବା ଅଧିନାୟକ ଜୋସ୍ ବଟଲର(୨୩)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଫିଲିପ ସଲ୍ଟ(୫)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମରା । ପୁଣି ଅକ୍ଷର ଜୋନି ବେୟାରଷ୍ଟୋ(୦)ଓ ମୋଇନ ଅଲ୍ଲୀ(୮)ଙ୍କ ଶିକାର କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ । ଇଂଲଣ୍ଡ ୪୯ ରନରେ ୫ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ।

ଅକ୍ଷର ପଟେଲ କୁଲଦୀପ ଯାଦବ ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂକ୍ରମ ଭୁଶୁଡାଇଥିଲେ । ନିଜର ସ୍ପିନ ଜାଲରେ ସାମ କରନ(୨)ଙ୍କୁ ପାଭିଲିୟନ ପଠାଇଥିଲେ । କ୍ରିଜରେ ଜମି ଆସିଥିବା ହାରି ବ୍ରୁକଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ବହୁତ ବଡ ସଫଳତା ଦେଇଥିଲେ କୁଲଦୀପ । ବ୍ରୁକ ୨୫ ରନ କରି ଆଉଟ୍ ହୋଇଥିଲେ । କ୍ରିସ ଜୋର୍ଡାନ(୧)ଙ୍କୁ ପାଭିଲିୟନ ପଠାଇଥିଲେ କୁଲଦୀପ । ଆଦିଲ ରଶିଦ(୨) ରନ ଆଉଟ୍ ହୋଇଥିଲେ । ଶେଷ ଆଡକୁ ଜୋଫ୍ରା ଆର୍ଚର (୨୧)ଙ୍କୁ ଏଲବିଡବ୍ଲ୍ୟୁ କରି ଭାରତକୁ ବିଜୟୀ କରାଇଥିଲେ ଯଶପ୍ରୀତ ବୁମରା । ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନରେ ଅଲଆଉଟ୍ ହୋଇଛି । ଭାରତ ମ୍ୟାଚକୁ ୬୮ ରନରେ ଜିତି ତୃତୀୟ ଥର ଫାଇନାଲରେ ପ୍ରବେଶ କରିଛି ।

ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି । ଅକ୍ଷର ପଟେଲ୍ ୪ ଓଭରରେ ୨୩ ଦେଇ ୪ ୱିକେଟ୍ ଏବଂ ଯଶପ୍ରୀତ ବୁମରା ୨.୪ ଓଭରରେ ୨ଟି ୱିକେଟ ନେଇଥିଲେ ।