ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଭାରତ ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି । ସ୍ଥାନୀୟ ସମୟନୁସାରେ ଟାଇଟଲ୍ ମୁକାବିଲା ସକାଳ ୧୦ଟା ୩୦ରେ ଖେଳାଯିବ । ତେବେ ଭାରତୀୟ ସମୟନୁସାରେ ରାତି ୮ଟାରେ ମ୍ୟାଚ୍ ଖେଳାଯିବ । ତେବେ ଏହି ଟାଇଟଲ୍ ମୁକବିଲା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର । କାରଣ ଜୁନ ୨୯ରେ ବର୍ଷା ହେବ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରହିଛି ? ଯଦି ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହୁଏ ତେବେ କିଏ ହେବ ବିଜେତା ?
ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଜୁନ ୨୯ରେ ବାର୍ବାଡୋସର ବ୍ରିଜଟାଉନରେ ବର୍ଷା ହେବାର ୭୮ ପ୍ରତିଶତ ସମ୍ଭାବନା ରହିଛି । ସ୍ଥାନୀୟ ସମୟାନୁସାରେ ମ୍ୟାଚ୍ ସକାଳ ୧୦ଟା ୩୦ରେ ଆରମ୍ଭ ହେବ । କିନ୍ତୁ ଭୋର ସକାଳ ୩ଟାରୁ ବାର୍ବାଡୋସରେ ଝଡ ତୋଫାନ ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସେହିପରି ସକାଳ ୧୦ଟାରେ ବର୍ଷା ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି । ପୁଣି ୧୧ଟାରେ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି । ପୁଣି ୧୨ଟାରୁ ୩ଟା ପର୍ଯ୍ୟନ୍ତ ବର୍ଷା ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି । ଏମିତିରେ ମ୍ୟାବ୍ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଟି-୨୦ ବିଶ୍ୱକପର ଏହି ଟାଇଟଲ୍ ମୁକାବିଲା ପାଇଁ ଆଇସିସି ରିଜର୍ଭ ଡେ ରଖିଛି । ଯଦି ୨୯ ତାରିଖରେ ମ୍ୟାଚ୍ ସଂପୂର୍ଣ୍ଣ ନ ହୁଏ ତେବେ ଜୁନ ୩୦ରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ । ହେଲେ ରିଜର୍ଭ ଡେରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ରିଜର୍ଭ ଡେରେ ମ୍ୟାଚ୍ ସଂପୂର୍ଣ୍ଣ ନ ହୁଏ ତେବେ ଦୁଇ ଦଳକୁ ବିଜେତା ଘୋଷଣା କରାଯିବ । ଉଲ୍ଲେଖନୀୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛନ୍ତି ।