ରାୟଗଡା ଜିଲ୍ଳା ଶ୍ରମ ବିଭାଗରରେ ଦୁର୍ନୀତି ଅଭିଯୋଗ:ନିଲମ୍ବିତ ହେ‌ଲେ ଜିଲ୍ଲା ଶ୍ରମ ଅଧିକାରିଣୀ ଯଶ୍ମିନ ଶୁଭଦର୍ଶନୀ ସାହୁ


ରାୟଗଡା: ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଘଟଣାରେ ରାଜ୍ୟ ସରକାର ଜିଲ୍ଲା ଶ୍ରମ ଅଧିକାରିଣୀ ଯଶ୍ମିନ ଶୁଭଦର୍ଶନୀ ସାହୁଙ୍କୁ ଆଜି ନିଲମ୍ବନ କରିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପତ୍ର ସଂଖ୍ୟା ୪୭୫୪ ତା ୨୬/୦୬/୨୪ରିଖ ରେ ଜିଲ୍ଲା ଶ୍ରମ ଅଧିକାରୀ ଯଶ୍ମିନଙ୍କୁ କାର୍ଯ୍ୟରୁ ବିଭାଗୀୟ ପ୍ରମୁଖ ସଚିବ ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ଶ୍ରୀମତୀ ସାହୁଙ୍କୁ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ରାୟଗଡା ଜିଲ୍ଳା ଶ୍ରମ ଅଧିକାରୀ (କଲ୍ୟାଣ) ଗୋପାଳ କୃଷ୍ଣ ମଙ୍ଗରାଜଙ୍କୁ ଶ୍ରମ ବିଭାଗ ପକ୍ଷରୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କଲ୍ୟାଣ ସେକ୍ସନ ବିଭାଗ ସହ ଏନଫୋର୍ସମେଣ୍ଟ ଦାୟିତ୍ୱ ମଧ୍ୟ ତୁଲାଇବା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡିଶା ସରକାରଙ୍କ ଚିଠି ସଂଖ୍ୟା ୪୭୬୨/୨୬/୬/୨୪ରେ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉ କି,ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନରେ ଜିଲ୍ଳା ଶ୍ରମ ଅଧିକାରୀ (ଏନଫୋର୍ସମେଣ୍ଟ) ଶ୍ରୀମତୀ ସାହୁ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଗତ ଜୁନ ୧୬ତାରିଖରେ ରାୟଗଡା ଜିଲ୍ଳା ଶ୍ରମ ବିଭାଗରେ ଦୁଇ ଜଣିଆ ଟିମ୍ ଖୋଳତାଡ ଆରମ୍ଭ କରିଥିଲେ । ଜଶ୍ମିନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ରାୟଗଡା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗର ଛାନଭିନ କରିଥିଲା ରାଜ୍ୟ ଶ୍ରମ ବିଭାଗ । ରାଜ୍ୟ ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଶ୍ରମ ବିଭାଗ ଭୁବନେଶ୍ୱରରୁ ୨ ଜଣିଆ ଟିମ୍ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ ଏବଂ ରାଜ୍ୟ ସରକାରଙ୍କ ଓଏସଡି ପ୍ରଶାନ୍ତ କୁମାର ବଳିୟାରସିଂ ରହିଥିବା ଏବଂ ଜେଏଲସି ନରେନ୍ଦ୍ର ରାଇକା ରାୟଗଡା ଆସି ଘଟଣାର ତଦନ୍ତ କରିଥିଲେ | ଜିଲ୍ଳାପାଳ ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁଙ୍କ ଉପସ୍ଥିତିରେ ରାୟଗଡା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶନ୍ନ କୁମାର ପାଣିଗ୍ରାହୀ,ଜିଲ୍ଲା ଶ୍ରମଅଧିକାରୀ(କଲ୍ୟାଣ)ଗୋପାଳ କୃଷ୍ଣ ମଙ୍ଗରାଜ,ଅତିରିକ୍ତ ଶ୍ରମ ଅଧିକାରୀ ସଂଜୟ କୁମାର ରଇତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅଭିଯୋଗକୁ ଭିତ୍ତିକରି ଗତ ୧୬/୦୬ /୨୦୨୪ ତାରିଖ ଦିନ ପଚାରାଉଚୁରା କରି ତତ୍ ସଂପର୍କିୟ କାଗଜପତ୍ର ଯାଞ୍ଚ କରିଥିଲେ । ଅତିରିକ୍ତ ଶ୍ରମ ଆୟୁକ୍ତ ଶ୍ରୀ ଟୁଡୁ ଏବଂ ଓଏସଡି ଅଧିକାରୀ ଶ୍ରୀ ବଳିୟାରସିଂ ଗତ ୨୦୨୧-୨୨ ବର୍ଷରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ମୃତ୍ୟୁକାଳନୀ ସହାୟତା ରାଶିର ସମସ୍ତ ଫାଇଲପତ୍ର ଖୋଳତାଡ କରିଥିବା ବେଳେ ବିଶେଷ କରି ଚନ୍ଦ୍ରପୁର ଓ ମୁନିଗୁଡା ୨ଟି ବ୍ଳକରେ ଚଞ୍ଚକତା କରାଯାଇ ମୃତ ନିର୍ମାଣ ଶ୍ରମିକଙ୍କ ନାମରେ ଆସିଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସମେତ ଏଭଳି ଅନେକ ମାମଲାରେ ହିତାଧିକାରୀମାନଙ୍କ ସହାୟତା ରାଶି ହରିଲୁଟର ଅଭିଯୋଗ ହୋଇଥିବା ମଧ୍ୟ ଜଣାପଡିଥିଲା । ଜାଲ କାଗଜପତ୍ର ତଆରି କରି ହିତାଧିକାରୀମାନଙ୍କ ପାଇଁ ଆସିଥିବା ସହାୟତା ରାଶିକୁ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତକାରୀ ଟିମ ଅମ୍ବାଦଳା ନିକଟସ୍ଥ ଇନ୍ଦ୍ରାପଡା ଗ୍ରାମକୁ ଯାଇ ହିତାଧିକାରୀ ମାନଙ୍କ ଘରକୁ ଯାଇ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ରାଜ୍ୟ ସରକାର ଶ୍ରୀମତି ଯଶ୍ମିନଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ଶ୍ରମ ଅଧିକାରିଣୀ ଯଶ୍ମିନ ସାହୁ ଭଦ୍ରକ ଠାରେ କାର୍ଯ୍ୟରତ ଥିବା ସମୟରେ କିଛି ଦଲାଲଙ୍କ ମାଧ୍ୟମରେ ଟଙ୍କା ନେଇ ଲେବର କାର୍ଡ ବାଣ୍ଟିବା ଏକ ଅଡିଓ କଲ୍ କଥାବାର୍ତ୍ତାର ଭାଇରାଲ ହୋଇଥିଲା । ଶ୍ରମ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।ବର୍ତ୍ତମାନ ରାୟଗଡ଼ା ଭିଜିଲାନ୍ସ ଟିମ୍ ମଧ୍ୟ ନଥିପତ୍ର ଯାଞ୍ଚ କରୁଥିବା ସୂଚନା ମିଳୁଛି।