ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା, ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ


ନୟାଗଡ଼: ଲୋଭରୁ ଗଲା ଇଜ୍ଜତ । ଲାଞ୍ଚ ମାଗି ଫସିଲେ ତହସିଲଦାର ବାବୁ । ଚାଲିଛି ଭିଜିଲାନ୍ସ ଚଢ଼ାଉ । ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକଙ୍କ ଘରେ ଚଢ଼ାଉ କରୁଛନ୍ତି । ଭାପୁର ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ ଚାଲିଛି ।

ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ବାଲି ବୋଝେଇ ଟ୍ରକକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ । ସେ ତହସିଲଦାରଙ୍କ ନାଁ କହିବା ପରେ ଧୋବେଇ ନାୟକଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ, ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ଚନ୍ଦନ ଜେନାଙ୍କ ହାଇୱା ଯାଉଥିବା ବେଳେ ଏହାକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ମାଲିକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗତକାଲି ବିଳମ୍ବିତ ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ୱୀକାର କରିବା ପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଘରେ ରେଡ୍‌ କରାଯାଇଛି । ଚଢାଉରେ ନୟାଗଡ ଏବଂ ଭୂବନେଶ୍ୱର ଭିଜିଲାନ୍ସ ଟିମ୍ ସାମିଲ୍ ହୋଇଛନ୍ତି ।