Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ ହେବ ବିଜେଡିର ଭବିଷ୍ୟତ? ପାଣ୍ଡିଆନ ଓ ବବିଙ୍କ ମଧ୍ୟରେ ମତଭେଦ, ଜାଣନ୍ତୁ କଣ ଚାହୁଁଛନ୍ତି ଦୁଇ ନେତା

ଭୁବନେଶ୍ୱର: କ୍ରମାଗତ ପାଞ୍ଚ ଥର ବିପୁଳ ବିଜୟ ସହ ନିର୍ବାଚନ ଜିତି ସାରିଥିବା ବିଜୁ ଜନତା ଦଳ ଏଥର କେମିତି ପରାଜିତ ହେଲା ଏବଂ ୨୭ ବର୍ଷର ଅବିଶ୍ୱସନୀୟ ସଫଳ ରାଜନୈତିକ କ୍ୟାରିୟରରେ ଥରେ ମଧ୍ୟ ପରାଜୟର ସ୍ୱାଦ ଚାଖି ନ ଥିବା ନବୀନ ପଟ୍ଟନାୟକ କିଭଳି ନିର୍ବାଚନ ହାରିଲେ ଏହାକୁ ନେଇ ଅନେକ ବିଶ୍ଳେଷଣ ଓ ତର୍ଜମା ଚାଲିଛି । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବାର ଆସ୍ଫାଳନ କରୁଥିବା ତାଙ୍କର ଶିଷ୍ୟ ଭିକେ ପାଣ୍ଡିଆନ ଦଳର ପରାଜୟ ପରେ ନିଜର ପ୍ରତିଶ୍ରୁତି ରଖି ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଅନ୍ୟପଟେ ଦଳର ନମ୍ବର ୩ ନେତା କୁହାଯାଉଥିବା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆଉ ଶଙ୍ଖ ଭବନ କି ନବୀନ ନିବାସରେ ଦେଖିବାକୁ ମିଳୁନି । କିନ୍ତୁ ଦୁହିଁଙ୍କୁ ନେଇ ରାଜନୌତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳର ଆଗାମୀ ଭବିଷ୍ୟତ କଣ ହେବ ଏ ପ୍ରସଙ୍ଗରେ ଦୁଇ ନେତାଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ଥିବା କୁହାଯାଉଛି ।

ବିଜେଡି ସରକାରରେ କ୍ଷମତାକୁ ଠୁଳ କରି ସୁପର ସିଏମ ପାଲଟିଥିବା ପାଣ୍ଡିଆନଙ୍କ ଏବେ ମଧ୍ୟ ଦଳରେ ପତିଆରା ଥିବା କୁହାଯାଉଛି । ନବୀନ ନିବାସରେ ଏବେ ବି ନେତାମାନେ ତାଙ୍କୁ ଭେଟୁଛନ୍ତି ବୋଲି ଦଳୀୟ ସୂତରୁ ପ୍ରକାଶ । ମେଣ୍ଟ ଚର୍ଚ୍ଚା ସମୟରେ ପାଣ୍ଡିଆନ ବିଜେଡିର ମଙ୍ଗ ଧରିଥିଲେ । ସେ ଚାହୁଁଥିଲେ ବିଜେପି ସହ ମେଣ୍ଟ ହେଉ । ଆଉ ଏବେ ନିର୍ବାଚନରେ ବିଜୁ ଜନତା ଦଳ ମାଟି କାମୁଡିଥବା ପରେ ମଧ୍ୟ ପାଣ୍ଡିଆନ ଚାହୁଁଛନ୍ତି ବିଜେଡି ଏନଡିଏ ସହ ମେଣ୍ଟରେ ରହୁ । ଯଦ୍ୱାରା ଦଳ କୌଣସି ପ୍ରକାରର କେନ୍ଦ୍ରୀୟ ଏଜେନ୍ସିର ଛାଟରୁ ବର୍ତ୍ତି ପାରିବ । ତେଣୁ ପାଣ୍ଡିଆନ ଏବେ ମଧ୍ୟ ସେ ଦିଗରେ କସରତ କରୁଥିବା କୁହାଯାଉଛି ।

ଅନ୍ୟପଟେ ଏକଦା ବିଜେଡିର ନମ୍ବର ୨ ନେତା ଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଇଚ୍ଛା ବିଜେଡି ଆଉ ବିଜେପି ସହ କୌଣସି ସଂପର୍କ ରଖିବାକୁ ଚେଷ୍ଟା ନ କରି ଦୃଢ ବିରୋଧୀ ଦଳ ଇଣ୍ଡି ମେଣ୍ଟ ରେ ମିଶିଯାଉ । ଏମିତି ହେଲେ ଦଳର ଛବି ବଜାୟ ରହିବା ସହ ଜନତାଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇ ପାରିବ । ଏହା ସହିତ ଦଳର ସ୍ଥିତି ବଜାୟ ରହି ପାରିବ । ବବି ଏବଂ ପାଣ୍ଡିଆନ ମଧ୍ୟରେ ମତ ପାର୍ଥକ୍ୟ ଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କୁ ଯେବେଠୁ ନବୀନ ପଟ୍ଟନାୟକ ସର୍ବେସର୍ବା କରି ଦେଲେ ଏବଂ ପ୍ରଚାର ମଙ୍ଗ ଧରାଇ ଦେଲେ ତେବେଠୁ ବବି ଅସନ୍ତୁଷ୍ଟ ଥିବା କୁହାଯାଏ । ଆଉ ବବିଙ୍କୁ ସମ୍ବଲପୁର ଲୋକସଭା ସିଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଟାଣୁଆ ନେତା ବିପକ୍ଷରେ ପ୍ରାର୍ଥୀ କରାଇବା ପାଣ୍ଡିଆନଙ୍କ ହିଁ ନିଷ୍ପତ୍ତି ଥିଲା । ଆଉ ଏହାର ପରିଣାମ ଆଜି ବବି ନିଜେ ଭୋଗୁଛନ୍ତି । ସମ୍ବଲପୁର ଲୋକସଭା ସିଟରୁ ହାରିବା ସହ ନିଜ ଜିଲ୍ଲାରୁ ମଧ୍ୟ ମାଆକୁ ଛିଡା କରାଇ ଜିତାଇ ପାରି ନାହାନ୍ତି । ଗୋଟିଏ ପ୍ରକାର କହିବାକୁ ଗଲେ ବବିଙ୍କ ରାଜନୈତିକ କ୍ୟାରିୟର ଏବେ ଦୋଛକିରେ ରହିଛି ।

ତେଣୁ ସଂପ୍ରତି ଦଳକୁ ନେଇ ପାଣ୍ଡିଆନ ଏବଂ ବବିଙ୍କ ଆଭିମୁଖ୍ୟ ଭିନ୍ନ ଭିନ୍ନ ରହିଛି । ଯଦି ରାଜ୍ୟସଭାରେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ସ୍ୱର ଶାଣିତ କରିବ ବୋଲି ନିଷ୍ପତ୍ତି ନିଆଯାଇ ଥିଲେ ହେଁ, ଭିକେ ପାଣ୍ଡିଆନ ଏବେ ମଧ୍ୟ ବିଜେଡିକୁ ଏନଡିଏ ମେଣ୍ଟରେ ମିଶାଇବାକୁ ଭିତିରି ଉଦ୍ୟମ କରୁଥିବା ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି । କାରଣ ବିଜେଡିର ଅନେକ ନେତାଙ୍କ ଉପରେ ବିଭିନ୍ନ ସଙ୍ଗୀନ ମାମଲା ନେଇ ତଦନ୍ତର ଖଣ୍ଡା ଝୁଲୁଛି । ତଦନ୍ତ ହେଲେ ତାଙ୍କ ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇପାରେ । ତେଣୁ ସେ ବିଜେପି ସହ ମିଶି ସବୁ ରଫା ଦଫା କରିବାକୁ ଉଦ୍ୟମ ଚଳାଉଥିବା କୁହାଯାଉଛି । ତେବେ ଆଗାମୀ ସମୟରେ ଜଣା ପଡିବ ବିଜେଡି ସମଦୂରତା ରଖୁଛି ନା ଏନଡିଏ କି ଇଣ୍ଡି ମେଣ୍ଟ ଆଡେ ଢଳୁଛି ।