ମଣିପୁରରେ ହିଂସା ପରେ ବନ୍ୟାର ତାଣ୍ଡବ, ଏ ପର୍ଯ୍ୟନ୍ତ ପଳାୟନ କଲେଣି ୨୦ ହଜାର ଲୋକ


ଇମ୍ଫାଲ: ମଣିପୁର ହିଂସାକୁ ବର୍ଷଟିଏ ବି ବିତିନି । ଲୋକଙ୍କ ମନରୁ ସେହି ହୃଦୟ ବିଦାରକ ଦୃଶ୍ୟ ଏବଂ କଷ୍ଟର ଯନ୍ତ୍ରଣା କମିନି । ଏବେ ବେଡି ଉପରେ କରଡା ମାଡ ପରି ଦାଉ ସାଜିଛି ଭୀଷଣ ବର୍ଷା । ବନ୍ୟା ମଣିପୁରରେ ତାଣ୍ଡବଲୀଳା ମଚାଇଛି । ବନ୍ୟାରେ ଅତି କମରେ ୩୫୦୦ ଘର ମାଟିରେ ମିଶି ଯାଇଥିବା ବେଳେ ୨୦ ହଜାରରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡି ପଳାୟନ କରିଛନ୍ତି । ଗତ ଚାରି ଦିନରେ ବନ୍ୟା ଲୋକଙ୍କ ଜୀବନ ଦୁର୍ବିସହ କରି ଦେଇଛି ।

ରାଜ୍ୟର ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗଠୁ ମିଳିଥିବା ସୂଚନା ଅନୁଯାୟୀ, ୨୦ ହଜାର ୬୩୯ ଲୋକ ପଳାୟନ କରିଛନ୍ତି । ୧୨୫୧ ଜଣ ରିଲିଫ ଶିବିରରେ ଶରଣ ନେଇଛନ୍ତି । ରାଜ୍ୟରେ ମୋଟ୍ ୧୪ ରିଲିଫ କ୍ୟାମ୍ପ ଖୋଲା ଯାଇଛି । ବନ୍ୟା କାରଣରୁ କୃଷକଙ୍କ ଅଣ୍ଟା ଭାଙ୍ଗି ଯାଇଛି । ଅନେକ ସ୍ଥାନରେ ଭୂସ୍ଖଳନ କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ୪୯ଟି ସ୍ଥାନରେ ଭୂସ୍ଖଳନ ଘଟିଥିବା କୁହାଯାଉଛି ।

ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୫ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ମଣିପୁର ସରକାର । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟ ମଧ୍ୟ ଛୁଟି ଘୋଷଣା କରାଯାଇଛି । ସରକାର ପୋଲିସ, ଦମକଳ ବିଭାଗ, ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଶକ୍ତି, ସ୍ୱାସ୍ଥ୍ୟ, ଜଳ ସମ୍ବଳ, ପିଡବ୍ଲ୍ୟୁଡି, ବନ ବିଭାଗ ଓ ଜଳସେଚନ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ କରାଯାଇଛି । ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।