ଆଜିଠାରୁ ମହାମହିମ ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତ


ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ପହଞ୍ଚିବେ । ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ରାଜଭବନରେ ରାତ୍ରି ଯାପନ କରିବେ ।

ଆସନ୍ତାକାଲି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ରଥଯାତ୍ରାରେ ସେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ କରାଯିବ । ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସ ଟିମ୍ ବି ମୁତୟନ ହେବେ । ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ଜଣାଯାଇଛି, ସେ ଆସନ୍ତାକାଲି ପୁରୀ ଗସ୍ତ କରି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ । ୮ ତାରିଖ ସକାଳୁ ପୁରୀ ସମୁଦ୍ର ବେଳାଭୂମିରେ ପ୍ରାତଃ ଭ୍ରମଣ କରିବେ । ଏହାପରେ ସେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫଟସ୍ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।

ସେହିଦିନ ଅପରାହ୍ନରେ ଭୁବନେଶ୍ୱରର ମେଣ୍ଢାଶାଳ ହରିଡ଼ାମଡ଼ାସ୍ଥିତ ଡିଭାଇନ୍ ରିଟ୍ରିଟ୍ ସେର୍ଟରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ୯ ତାରିଖ ପୂର୍ବାହ୍ନରେ ଜଟଣୀସ୍ଥିତ ନାଇଜରର ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।