ସାପ ଚୋଟରେ ମାଆ କୋଳରେ ଶୋଇଥିବା ୪ ମାସର ଶିଶୁକନ୍ୟା ମୃତ


କେନ୍ଦୁଝର: କୁହାଯାଏ ମାଆ ପଣତ ଓ ମାଆ କୋଳ ପିଲା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ । କାରଣ ପିଲା ଉପରେ କୌଣସି ବିପଦ ଆସିଲେ, ମାଆ ଆଗକୁ ଆସିଯାଇଥାଏ । ହେଲେ କେନ୍ଦୁଝରରେ ଏକ ୪ ମାସର ଶିଶୁକନ୍ୟା ମାଆ କୋଳରେ ଥାଇ ବି ଜୀବନ ହାରିଛି । ସାପ ଚୋଟରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି । ଆନନ୍ଦପୁର ବ୍ଲକ ଅଧୀନ ରଟୁଆଁ ଗାଁରେ ଏହି ଅଘଟଣ ଘଟିଛି ।

ଗାଁର ଚନ୍ଦନ ମାଝୀଙ୍କ ଘରେ ୪ ମାସ ପୂର୍ବେ ଏକ କନ୍ୟା ଜନ୍ମ ଗ୍ରହଣ ପରିଥିଲା । ଘରକୁ ଲକ୍ଷ୍ମୀ ଆସିଥିବାରୁ ପରିବାର ଲୋକେ ବେଶ ଖୁସି ଥିଲେ । ହେଲେ ସେମାନଙ୍କ ଏହି ଖୁସି ବେଶିଦିନ ରହି ନଥିଲା । କାରଣ ବିଧିର ବିଧାନ ଥିଲା ଭିନ୍ନ । ମାତ୍ର ୪ ମାସର ଆୟୁଷ ନେଇ ଆସିଥିଲା ଶିଶୁକନ୍ୟାର ଜୀବନ କାଳ ରୂପୀ ନେଇଯାଇଛି ।

ଗତ ରାତିରେ ପିଲାଟି ମାଆ କୋଳରେ ଶୋଇଥିଲା । ହଠାତ୍‌ ପିଲାର ଚିତ୍କାର ଶୁଣି ମାଆ ଉଠି ସାପଟି ଯାଉଥିବା ଦେଖିବାକୁ ପାଇଥିଲା । ଏହାପରେ ତୁରନ୍ତ ପିଲାଟିକୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପିଲାଟିର ଏପରି ମୃତ୍ୟୁରେ ବାପାମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।