Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୋଷଯାତ୍ରା: ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ, ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି । ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ରଥ ପଥ ଜଗନ୍ନାଥ ହୋଇ ପଡିଛି ଶ୍ରୀକ୍ଷେତ୍ର । ଏଣେ ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ‘ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ’ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ଆଗରୁ ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ଯାଇଛି ।

ଧାଡି ପହଣ୍ଡିରେ ଆସି ପ୍ରଥମେ ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି ଶ୍ରୀ ସୁଦର୍ଶନ । ଏହା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇ ଯାଇଛି । ପଛକୁ ଆସିବେ ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆରେ ଝୁଲି ଝୁଲି ଆସିବେ କଳାଠାକୁର । ଆଉ ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର। ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

ରବିବାର ଅପରାହ୍ଣ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ଥିଲା । ତେବେ ଘଣ୍ଟାଏରୁ ଅଧିକ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇ ଯାଇଛି । ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସଂପନ୍ନ ହେବ। ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ନୀତିକାନ୍ତି ଅଧିକ କାରଣରୁ ସମୟର ଘୋର ଅଭାବ ରହିଛି। ସେ ଦୃଷ୍ଟିରୁ ରବିବାର କେବଳ ପ୍ରତୀକାତ୍ମକ ଭାବେ ରଥଟଣା ହେବ। ଜୁଲାଇ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ