Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ରୁତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ପଞ୍ଜିକୃତ ବିହନ, ସାର ଓ କୀଟନାଶକ ଯୋଗାଣ ,ଜଳ ସୁ-ପରିଚାଳନା ସହ ମୃତ୍ତିକା ପରୀକ୍ଷଣ, ବଜାର ଉପଲବ୍ଧ, ଯାନ୍ତ୍ରିକ କୃଷି, କୃଷକଙ୍କ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ତଥା ଅନ୍ୟାନ୍ୟ କୃଷି ସମ୍ୱନ୍ଧୀୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ଃ ବିଭୁତି ଭୂଷଣ ମିଶ୍ର ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷିକ୍ଷେତ୍ରରେ ବିଗତ ବର୍ଷର କାର୍ଯ୍ୟକାରିତା ଓ ଚଳିତ ଖରିଫ୍ ୠତୁ ରେ ଜିଲ୍ଲାର କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ରହିଥିବା ଲକ୍ଷ୍ୟ ଧାର୍ଯ୍ୟ ଓ କାର୍ଯ୍ୟ ଖସଡ଼ାକୁ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଋତୁରେ ଜିଲ୍ଲାରେ ୭୭,୧୦୦ ହେକ୍ଟରରେ ଧାନ ଚାଷରୁ ୪,୧୨,୨୫୮ ମେଟ୍ରିକ ଟନ ଧାନ, ୧୬,୨୦୦ ହେକ୍ଟରରେ ଡାଲି ଚାଷରୁ ୧୨,୯୩୦ ମେଟ୍ରିକ ଟନ ଡାଲି, ୪,୦୫୦ ହେକ୍ଟରରେ ତୈଳବୀଜରୁ ୨,୭୦୦ ମେଟ୍ରିକ ଟନ ତୈଳବୀଜ, ତନ୍ତୁ ଜାତୀୟ ୬,୧୭୦ ହେକ୍ଟର ଚାଷ କରାଯାଇ ୧,୯୭୪ ମେଟ୍ରିକ ଟନ, ପନିପରିବା ୨୧,୬୦୦ ହେକ୍ଟର ଚାଷ କରାଯାଇ ୩୬,୪୯୫ ମେଟ୍ରିକ ଟନ ଏବଂ ମସଲା ୧,୦୦୦ ହେକ୍ଟର ଚାଷ କରାଯାଇ ୧,୮୩୩ ମେଟ୍ରିକ ଟନ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ୫୬୧. ୫ ହେକ୍ଟର ଜମିରେ ଉଦ୍ୟାନ କୃଷି ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ଚଳିତ ବର୍ଷ ସମୁଦାୟ ୧,୨୮,୧୬୧. ୫ ହେକ୍ଟର ଧାନ, ଅଣ ଧାନ ତଥା ଉଦ୍ୟାନ କୃଷି ନିମନ୍ତେ ଚାଷ ଉପଯୋଗୀ ଜମି ଚି଼ହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧,୨୦,୯୦୧ ହେକ୍ଟର ଜମିକୁ ବିଭିନ୍ନ ଉତ୍ସରୁ ଜଳସେଚନ ସୁବିଧାର ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାକୁ ଧାର୍ଯ୍ୟ ପରିମାଣ ମୁତାବକ ୧୨,୪୩୭ ମେଟ୍ରିକ ଟନ ଚାଷ ନିମିତ୍ତ ରାସାୟନିକ ସାର, କୀଟନାଶକ ଆସିଥିବା ଡିଏଓ ଶ୍ରୀ ମିଶ୍ର ସୂଚୀତ କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ କୃଷି ଏବଂ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଚାଷୀଙ୍କ ନିମନ୍ତେ ସରକାରୀ ଯୋଜନା ସହିତ ଚାଷ ସମ୍ୱନ୍ଧୀୟ ବିଭିନ୍ନ ସାମଗ୍ରୀର ରିହାତି ବ୍ୟବସ୍ଥାକୁ ଉପଲବ୍ଧତା ଓ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ଅଣ ଜଳସେଚିତ ଅଂଚଳରେ ଅଣଧାନ ଯଥା କପା, ଡାଲି, ତୈଳବୀଜ, ପନିପରିବା, କଦଳୀ, ଛତୁ ଚାଷ ଓ ଉଦ୍ୟାନକୃଷି ଉପରେ ଗୁରୁତ୍ୱାରୋପ କରି ଚଳିତ ବର୍ଷର କୃଷିବୀମାର ଅଗ୍ରଗତି ସହ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାହା ଜିଲ୍ଲାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ। ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣକୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀ ମାନେ କୃଷି ଉଦ୍ୟୋଗ ସ୍ଥାପନା କରିବାରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଜିଲ୍ଲାର କୃଷି ଓ କୃଷକଙ୍କ ହିତାଦୃଷ୍ଟିରୁ ସାର, ବିହନ ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ରୂପ ରେଖ ବୈଠକରେ ଉପସ୍ଥାପିତ କରିଥିଲେ। ଅନୁଷ୍ଠିତ ବୈଠକରେ କୃଷି ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହିତ, ଉଦ୍ୟାନ କୃଷି, ଜଳସେଚନ, କେନାଲ ଡିଭିଜନର ଯନ୍ତ୍ରୀ, ଯୋଗାଣ ବିଭାଗ, ସେବା ସମବାୟ ଅଧିକାରୀ, ମାର୍କଫେଡ୍ ଅଧିକାରୀ, ନାବାର୍ଡ ତଥା ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ