ଟିମ୍ ଇଣ୍ଡିଆର ନୂତନ ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର, ଜୟ ଶାହ କଲେ ବଡ ଘୋଷଣା


ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ କ୍ରିକେଟ୍ ଦଳକୁ ମିଳିଛି ନୂତନ କୋଚ୍ । ଆଶା ଅନୁଯାୟୀ ପୂର୍ବତନ ଭାରତୀୟ ଦଳର ଓପନର ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଗମ୍ଭୀର ଭାରତୀୟ କ୍ରିକେଟ୍ ଇତିହାସରେ ୨୫ତମ କୋଚ୍ ହେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ୨୦୨୪ ପରେ ରାହୁଲ ଦ୍ରାବିଡଙ୍କ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ସଂପୂର୍ଣ୍ଣ ହୋଇ ସାରିଛି । ଜୁଲାଇ ମାସ ଶେଷ ଆଡକୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଗମ୍ଭୀର ଭାରତର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଅନ୍ତରୀଣ ହେଡ୍ କୋଚ୍ ଭୂମିକା ନିଭାଉଛନ୍ତି ।

ବିସିସିଆଇ ସଚିବ ଜୟ ଶାହ ଏକ୍ସରେ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ କରାଯିବାର ଘୋଷଣା କରି କହିଛନ୍ତି, ମୋତେ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି ଯେ, ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ କୋଚ୍ ହେବାକୁ ଯାଉଛନ୍ତି । ଆଧୁନିକ କ୍ରିକେଟରେ ଦ୍ରୁତ ଗତିରେ ଉନ୍ନତି ଘଟିଛି । ଗମ୍ଭୀର ବହୁ ନିକଟରୁ ଏହି ସବୁ ପରିବର୍ତ୍ତନ ଦେଖିଛନ୍ତି ଏବଂ ଅନୁଭବ କରିଛନ୍ତି । ସେ ନିଜ କ୍ୟାରିୟରରେ ଯାହା ସୁଯୋଗ ମିଳିଛି, ସେ ଶ୍ରେଷ୍ଠ ସାବ୍ୟସ୍ତ କରିଛନ୍ତି । ମୋତେ ପୂର୍ଣ୍ଣ ଭରସା ଯେ, ଗୌତମ ଗମ୍ଭୀର ସେହି ବ୍ୟକ୍ତି ଯିଏ ଭାରତୀୟ କ୍ରିକେଟକୁ ଆଗକୁ ନେଇଯିବେ । ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଭିଜନ ସ୍ପଷ୍ଟ ରହିଛି । ଏହା ସହିତ ତାଙ୍କ ଅଭିଜ୍ଞତା କୋଚ୍ ପଦ ପାଇଁ ତାଙ୍କୁ ଆଦର୍ଶ ବ୍ୟକ୍ତିରେ ପରିଣତ କରୁଛି । ବିସିସିଆଇ ଗମ୍ଭୀରଙ୍କୁ ତାଙ୍କର ଏହି ନୂତନ ଯାତ୍ରାରେ ପୁରା ସମର୍ଥନ ଦେବ ।

ଗୌତମ ଗମ୍ଭୀରଙ୍କ ଅଧିନରେ ଭାରତୀୟ ଦଳର ପ୍ରଥମ ସିରିଜ୍ ଜୁଲାଇ ୨୭ ତାରିଖରେ ଶ୍ରୀଲଙ୍କା ବିପକ୍ଷରୁ ଆରମ୍ଭ ହେବ । ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ୩ଟି ଟି-୨୦ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ଏହି ସମୟରେ ଅନେକ ଆଇସିସି ଟୁର୍ଣ୍ଣାମେଣ୍ଟ ରହିଛି । ଗମ୍ଭୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି । ଏହା ପରେ ସେହି ବର୍ଷ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ପହଞ୍ଚିବାର ଆଶା ର ହିଛି । ୨୦୨୬ରେ ଟି-୨୦ ବିଶ୍ୱକପ୍ ଓ ୨୦୨୭ ଦିନିକିଆ ବିଶ୍ୱକପ୍ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳର ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ ।

ସୂଚନା ଅନୁଯାୟୀ, କୋଚ୍ ଦାୟିତ୍ୱ ଗ୍ରହଣ କରିବା ପରେ ଗମ୍ଭୀର ଅନେକ ବଡ ନିଷ୍ପତ୍ତି ନେଇ ପାରନ୍ତି । ଖବର ଏହା ମଧ୍ୟ ରହିଛି ଯେ, ସେ ସୀମିତ ଓଭର ଓ ଟେଷ୍ଟ ଫର୍ମାଟରେ ଭିନ୍ନ ଭିନ୍ନ ଖେଳାଳିଙ୍କୁ ଅଧିନାୟକ କରାଯିବା ସପକ୍ଷରେ ଅଛନ୍ତି ।