ବାଃ ବାଃ ରେ ପ୍ରଶାସନ,ଯୋଜନା ଗଲାଣି ଚୁଲିକୁ,ଶିଶୁ ଉଦ୍ୟାନ ଏବେ ଜୀବଜନ୍ତୁ ଙ୍କ ଉଦ୍ୟାନ।


ହାଟଡିହୀ,୧୦l୭:ବାଃ ବାଃ ରେ ପ୍ରଶାସନ l ସରକାରୀ ଯୋଜନା ଚୁଲିକୁ ଗଲାଣି l ଏପରି ଘଟଣା ଯିଏ ଦେଖିବ ସିଏ କହିବ l କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଢା ପଞ୍ଚାୟତ ମିଠିଗାଁ ଗ୍ରାମ ରେ ଥିବା ଶିଶୁ ଉଦ୍ୟାନ ଅନାବନା ଗଛ, ଲତା ରେ ପରିପୂର୍ଣ ହୋଇପଡିଛି l ଅଧାଖଣ୍ଡିଆ କାର୍ଯ୍ୟ ଫଳରେ ଏହି ଶିଶୁ ଉଦ୍ୟାନ ଟି ଏବେ ସରୀସୃପ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ର ଉଦ୍ୟାନ ପାଲଟିଛି l ଏହାର ନିର୍ମାଣ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ହେଉ ନଥିବାରୁ ଉଦ୍ୟାନ ର ସୌନ୍ଦର୍ଯ୍ୟ ଏବଂ ଗାରିମା ଏକ ପ୍ରକାରର ନଷ୍ଟ ହେବାକୁ ବସିଛି l ପ୍ରଥମେ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ୩ ଲକ୍ଷ୍ୟ ଏବଂ ପ୍ରାଚୀର ନିର୍ମାଣ ପାଇଁ ୩ ଲକ୍ଷ୍ୟ ଟଙ୍କା ଅନୁଦାନ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ପଞ୍ଚାୟତ ର ଏସଏଫସି ଫଣ୍ଡ ରୁ ଖର୍ଚ୍ଚ ହୋଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା l ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଉଦ୍ୟାନ ସମ୍ମୁଖ ଫାଟକ ନିର୍ମାଣ ପାଇଁ ପଞ୍ଚାୟତ ଏସଏଫସି ଫଣ୍ଡ ରୁ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ହୋଇ କାର୍ଯ୍ୟ ଚାଲୁ ରହିଛି l ଉଦ୍ୟାନ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ଏକ ମଠ, ପୋଖରୀ,ଆମ ଓଡିଶା ନବୀନ ଓଡିଶା ତରଫରୁ ଗୋଷ୍ଠୀ କେନ୍ଦ୍ର ମଧ୍ୟ ରହିଛି l ୨୦୨୦- ୨୦୨୧ ରେ ପୋଖରୀ କାର୍ଯ୍ୟ ପାଇଁ ୨ ଲକ୍ଷ୍ୟ ୫୦ ହଜାର,୨୦୨୩-୨୦୨୪ ରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ୍ୟ ଟଙ୍କା ଅନୁଦାନ ଖର୍ଚ୍ଚ ହୋଇଛି l କିନ୍ତୁ ଉଦ୍ୟାନ ପରିବେଶ ସମ୍ପୂର୍ଣ ଭାବେ ବୁଲୁପ୍ତ ହୋଇଯାଇଥିବା ବେଳେ ଏକ କ୍ଷୁଦ୍ର ଜଙ୍ଗଲ ପରି ଲାଗୁଛି l ପ୍ରାୟ ୩ ହଜାର ସ୍କୋୟାର ଫୁଟ ରେ ଉଦ୍ୟାନ ନିର୍ମାଣ ହୋଇଛି l କିନ୍ତୁ ପ୍ରଶାସନିକ ଅନୁଧ୍ୟାନର ଅଭାବ ଏବଂ ପଞ୍ଚାୟତ କର୍ମଚାରୀ ଙ୍କ ଦାୟିତ୍ୱହୀନତା ଓ ରକ୍ଷଣା ବେକ୍ଷଣା ଅଭାବରୁ ଉଦ୍ୟାନଟି ଏବେ ଶ୍ରୀହୀନ ହୋଇପଡିଛି l ୩ ବର୍ଷ ବିତି ଥିଲେ ଉଦ୍ୟାନର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରୁନି l ଉଦ୍ୟାନ ରେ ଆଲୋକୀକରଣ ହୋଇନି l ପାଣି ପାଇପ ସଂଯୋଗ ମଧ୍ୟ ନାହିଁ l କୌଣସି ପ୍ରକାର ର ରଙ୍ଗ ବେରଙ୍ଗର ଫୁଲ, ଘାସ କିମ୍ବା ଅନ୍ୟ ଗଛ ମଧ୍ୟ ନାହିଁ l ସୌନ୍ଦର୍ଯ୍ୟକରଣ ହୋଇ ନ ଥିବାରୁ ଉଦ୍ୟାନ ର ପ୍ରକୃତ ସୁନ୍ଦରତା ଏବଂ ପରିବେଶ ହଜିଯାଇଛି l ଉଦ୍ୟାନ ଭିତରେ ବସିବା ପାଇଁ ବ୍ୟବସ୍ଥା କିମ୍ବା ଚାଲିବା, ବୁଲିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇନି l ବର୍ଷା ଅସଳାଏ ହେଲେ ଉଦ୍ୟାନ ଭିତରକୁ ଯିବା ପାଇଁ ଭୟ ଲାଗେ l ଉଦ୍ୟାନ ସମ୍ମୁଖ ପଟେ ଫାଟକ ଏବଂ ପ୍ରାଚୀର ରହିଛି l କିନ୍ତୁ ଉଦ୍ୟାନ ର ପଛ ପଟ ମୁକୁଳା ପଡିଛି l ଯାହାକି ଉଦ୍ୟାନ ପାଇଁ ସୁରକ୍ଷିତ ନୁହେଁ l ତେଣୁ ଏହାର ରକ୍ଷଣା ବେକ୍ଷଣା ଆବଶ୍ୟକ ହୋଇପଡିଛି l ପରିତ୍ୟକ୍ତ ଭାବେ ଉଦ୍ୟାନ ପଡି ରହିଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ର ପ୍ରକୃତ ଲକ୍ଷ୍ୟ ଦିଗହରା ହୋଇପଡ଼ିଥିବା ବେଳେ ପୂର୍ବରୁ ଖର୍ଚ୍ଚ ହୋଇଥିବା ସରକାରୀ ଅନୁଦାନ ର ଯଥାର୍ଥତା ନାହିଁ କହିଲେ ଚଳେ l ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିହର ସେଠି କହିଛନ୍ତି ଯେ ପଞ୍ଚାୟତ ରେ ଅନୁଦାନ ଅଭାବରୁ କାର୍ଯ୍ୟ ହୋଇପାରୁନି l ଅନ୍ୟ ଯୋଜନାରେ ଉଦ୍ୟାନ ପ୍ରକଳ୍ପକୁ ତାଲିକାଭୁକ୍ତ କରି ଧୀରେ ଧୀରେ ଉଦ୍ୟାନ ର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ କରାଯିବ l ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ କହିଛନ୍ତି ଯେ ପଞ୍ଚାୟତ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନି କି ଉଦ୍ୟାନ କାର୍ଯ୍ୟକୁ ସମ୍ପୂର୍ଣ କରାଯାଉନି l ଫଳରେ ଉଦ୍ୟାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହି ଜୀବଜନ୍ତୁ ଙ୍କ ଉଦ୍ୟାନ ହେବାକୁ ବସିଛି l