ଜଳ କଷ୍ଟ ଦେଉଛି ଅଧିକ ଯନ୍ତ୍ରଣା, ମେଗା ପାନୀୟ ଜଳ ପ୍ରକଳ୍ପ ନିଖୋଜ


ହାଟଡିହି,୧୧l୭ :ପାନୀୟ ଜଳ ପାଇଁ ହା ହା କାର ପଡିଛି l ବର୍ଷା ତାତି ଠାରୁ ପାନୀୟ ଜଳ କଷ୍ଟ ଯନ୍ତ୍ରଣା ଅଧିକ ହୋଇଛି l ୯ଟି ଗ୍ରାମର ୮୦୦ରୁ ଉର୍ଦ୍ଧ ପରିବାର ପାନୀୟ ଜଳ ପାଇଁ  ଛଟପଟ ହେଉଛନ୍ତି l ପାନୀୟ ଜଳ ବିନା କେତେବେଳେ କାହାର ଯେ ଜୀବନ ଚାଲିଯିବା ପରି ପରିସ୍ଥିତି ସୃଷ୍ଟି ହୋଇଛି l ବ୍ଲକ ପ୍ରଶାସନ ପାନୀୟ ଜଳ କଷ୍ଟକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ବି ଆହୁରି ସାଙ୍ଘାତିକ ସମସ୍ୟା ରହିଛି l ସୂଚନା ଅନୁସାରେ ବଣ, ପାହାଡ଼ ଘେରା ବଳୟ ମଧ୍ୟରେ କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନରେ ହଦଗଡ଼ ଏବଂ କେ. ବାଲିପାଳ ପଞ୍ଚାୟତ ରହିଛି l ଏହି ଦୁଇ ପଞ୍ଚାୟତ ପ୍ରାୟ ୯୦ ଶତକଡା ଲୋକ ଆଦିବାସୀ ଗରିବ ଏବଂ ଦିନ ମଜୁରିଆ ଅଟନ୍ତି l ଦୁଇ ପଞ୍ଚାୟତ ଅଧୀନ ଦଲିକି, ପିତାନାଉ, ମଲିପଶି, ସରମୁଣ୍ଡି, ଜୁଣପସୀ, ରାଇଘାଟି, ସିଆଡ଼ିମାଳିଆ, ହରଡ଼ବାଡ଼ି ପ୍ରଭୃତି ଗ୍ରାମ ଗୁଡିକରେ ପାନୀୟ ଜଳ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି l ପୂର୍ବରୁ ବସିଥିବା ବହୁ ନଳକୂପ ଏବେ ଅଚଳ l କାରଣ ଖରା ଦିନେ ଜଳସ୍ତର କମୁଥିବାରୁ ନଳକୂପରୁ ପାଣି ବାହାରୁନି l ଅଦ୍ୟାବଧି ବର୍ଷାର ମଧ୍ୟ ଦେଖା ନାହିଁ l ବହୁ ସ୍ଥାନରେ ନଳକୂପ ମଧ୍ୟ ନାହିଁ l ଆଉ କେତେକ ସ୍ଥାନରେ ବସିଥିବା ନଳକୂପରୁ ଦୁର୍ଗନ୍ଧ, ଗୋଳିଆ ପାଣି ବାହାରୁଛି l ଏହି ପାଣି ବ୍ୟବହାର ଅନୁପଯୋଗୀ ହୋଇପଡିଛି l ପାନୀୟ ଜଳ ପାଇଁ କିଛି ସ୍ଥାନରେ ଲୋକ ମାନେ ୫ କିମି ଦୂର ଝରଣା ଉପରେ ନିର୍ଭର କରୁଛନ୍ତି l  ଏହି ଝରଣାରୁ ଝରୁଥିବା ପାଣି ନିକଟସ୍ଥ ଏକ ଖାଲ ରେ ଜମି ରହେ l ମହିଳା ମାନେ ଚାଲି ଚାଲି ଯାଇ ଏହି ଖାଲର ପାଣିକୁ ସଂଗ୍ରହ କରନ୍ତି l ଏହାକୁ ପାନୀୟ ଜଳ, ରୋଷଇ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି l  ଗ୍ରୀଷ୍ମ ମାସରେ ଏଠି ଲୋକ ମାନେ ଖରା ଉତ୍ତାପରେ ଡହଳ ବିକଳ ହେଉଛନ୍ତି l ବର୍ଷା ଏବଂ ତାତି କଷ୍ଟ ଠାରୁ ପାନୀୟ ଜଳ କଷ୍ଟ ଏମାନଙ୍କର ଦୈନନ୍ଦିନ ଜୀବନ କୁ ଅଧିକ ଯନ୍ତ୍ରଣା ଦାୟକ କରିଦେଇଛି l ହାଟଡିହି ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ୯ ଗ୍ରାମରେ ତାହା ନିଖୋଜ ହୋଇଯାଇଛି l ଅଦ୍ୟାବଧି ପାନୀୟ ଜଳକୁ ନେଇ ଅନେକ ଅଭିଯୋଗ ଦାୟର ହୋଇଛି l ବ୍ଲକ ପ୍ରଶାସନ ସେ ସବୁ ସମାଧାନ ପାଇଁ ପଦକ୍ଷେପ ମଧ୍ୟ ନେଉଛି l ସୂଚନା ଯୋଗ୍ୟ ୯ ଗ୍ରାମରେ ଥିବା ଜଳ କଷ୍ଟ ଲାଗି ରୁହେ l କେ. ବାଲିପାଳ ଏବଂ ହଦଗଡ଼ ପଞ୍ଚାୟତ ର ୯ଟି ଗ୍ରାମର ଲୋକ ପାନୀୟ ଜଳ କଷ୍ଟ ଦୁର୍ଦଶା ଭୋଗୁଛନ୍ତି l ସେମାନଙ୍କୁ   ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି l ଜୁଣପସୀ ରେ ୪ଟି ଏବଂ ମଲିପଶି ରେ ଗୋଟିଏ ନୂତନ ନଳକୂପ ବସାଇବା ପାଇଁ ନିଷ୍ପତି ନିଆଯାଇଛି l   ସମଗ୍ର ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ବାବଦରେ ପ୍ରାୟ ୨୦୦ଟି ଅଭିଯୋଗ ଆସିଥିଲେ ମଧ୍ୟ ସେଥିରୁ ପ୍ରାୟ ସବୁ ଅଭିଯୋଗ ସମାଧାନ ସରିଛି l କିନ୍ତୁ ପାନୀୟ ଜଳ କଷ୍ଟ ଆଦିବାସୀ ଲୋକଙ୍କ ପାଇଁ ବଡ଼ ଉଦବେଗର ପ୍ରସଙ୍ଗ ସାଜିଛି l ତେବେ ଏପରି ସମସ୍ୟା କେବେ ପୁର୍ଣ୍ୟଛେଦ ପଡିବ ତାହା ଦେଖିବାକୁ ବାକି ରହିଲା l