ବିଶାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ


ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଳପୁର ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୁରୁବାର ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଗୁରୁତର ହୋଇ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଧଳପୁର ଗ୍ରାମର କୁନ୍ତଳା ରୂଷି ନାମକ ଜଣେ ୬୦ ବର୍ଷୀୟା ମହିଳା ଗୁରୁବାର ସକାଳ ୮ଟା ସମୟରେ ନିଜ ଘର ବାଡ଼ିରେ ଫୁଟିଥିବା ଅଜଣା ଛତୁ ତୋଳି ତାହାକୁ ତରକାରୀ ଭାବେ ରାନ୍ଧିଥିଲେ । ଛତୁ ରାନ୍ଧି ସାରିବା ପରେ କୁନ୍ତଳା ତାର ପୁଅ କୁମୁଦ ରୂଷି, ୧୧ ବର୍ଷୀୟା ଝିଆରୀ କୋଶଲ୍ୟା ଏବଂ ସମ୍ପର୍କୀୟ ରମାକାନ୍ତ ଋଷିଙ୍କୁ ଖାଇବାକୁ ଦେଇ ସେ ନିଜେ ମଧ୍ୟ ଖାଇଥିଲେ । ଛତୁ ତରକାରୀ ଖାଇ ସାରିବା ପରେ ସମସ୍ତେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡିଥିଲେ । ଏହା ଜାଣିବା ପରେ ପରିବାରର ଅନ୍ୟ ସଦସ୍ୟ ମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ନେଇଥିଲେ । ତେବେ ଚିକିତ୍ସା ପରେ କୌଶଲ୍ୟା ଏବଂ ରମାକାନ୍ତ ସମ୍ପୂର୍ଣ ଭାବେ ସୁସ୍ଥ ହୋଇଥିବାବେଳେ ଗୁରୁତର କୁନ୍ତଳା ଏବଂ ପୁଅ କୁମୁଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଖବର ମିଳିଛି।