Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଜରିୱାଲଙ୍କୁ ବଡ ଆଶ୍ୱସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ; ଦିଲ୍ଲୀ ସିଏମଙ୍କ ଉପରେ ଛାଡିଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଇଡି ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜରିୱାଲଙ୍କ ପକ୍ଷରୁ ଦାୟର ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ବଡ ବେଞ୍ଚକୁ ପଠାଇ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଦୀପାଙ୍କର ଦତ୍ତଙ୍କ ପୀଠ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଅରବିନ୍ଦ କେଜରିୱାଲଙ୍କୁ ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଜେଲରୁ ସରକାର ଚଲାଇବାର ନିଷ୍ପତ୍ତି କେଜରିୱାଲଙ୍କ ଉପରେ ଛାଡିଛନ୍ତି ।

ସୁପ୍ରିମକୋର୍ଟ କେଜରିୱାଲଙ୍କ ଜେଲରୁ ସରକାର ଚଲାଇବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି । କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି, କେଜରିୱାଲ ଜଣେ ନିର୍ବାଚିତ ନେତା ଏବଂ ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡିବ ଯେ, ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହାନ୍ତି କି ନାହିଁ। ଏହା ପୂର୍ବରୁ ମଧ୍ୟ ହାଇକୋର୍ଟ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଦାବିରେ ଦାଖଲ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ ।

ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ଅରବିନ୍ଦ କେଜରିୱାଲ ଏବେ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ସେ ଜେଲରୁ ସରକାର ଚଳାଇବାର ନିଷ୍ପତ୍ତି ନେଇଥିଲେ । କେଜରିୱାଲ କହିଥିଲେ, ସେ ଇସ୍ତଫା ଦେଇ ବିଜେପି ଷଡଯନ୍ତ୍ରକୁ ସଫଳ ହେବାକୁ ଦେବେ ନାହିଁ । ଉଲ୍ଲେଖନୀୟ ପଦରେ ରହି ଗିରଫ ହେବା ସହ ଜେଲରୁ ସରକାର ଚଲାଇବାର କେଜରିୱାଲ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କଠୁ ନେଇ ହେମନ୍ତ ସୋରେନଙ୍କ ପର୍ଯ୍ୟନ୍ତ ଯେତେବେଳେ ଗିରଫଦାରୀର ସ୍ଥିତି ଉପୁଜିଥିଲା, ସେମାନେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ କେଜରିୱାଲ ସେମିତି ନ କରି ଜେଲରେ ରହି ସରକାର ଚଳାଉଛନ୍ତି ।

ସୁପ୍ରିମକୋର୍ଟ ଏବେ ମଧ୍ୟ ଏହା ଉପରେ ନିଷ୍ପତ୍ତି ଦେଇ ନାହାନ୍ତି ଯେ, କେଜରିୱାଲଙ୍କ ଗିରଫଦାରୀ ଠିକ୍ ନା ଭୁଲ । ଏହାର ନିଷ୍ପତ୍ତି ନେବା ପାଇଁ କୋର୍ଟ ବୃହତ ଖଣ୍ଡପୀଠକୁ ସୁପାରିଶ କରିଛନ୍ତି । ନିଷ୍ପତ୍ତି ନ ଆସିବା ଯାଏ ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଅନ୍ତରୀଣ ଜାମିନ ମିଳିବା ସତ୍ତ୍ୱେ ବି କେଜରିୱାଲ ଜେଲରୁ ମୁକୁଳି ପାରିବେ ନାହିଁ । କାରଣ ତାଙ୍କୁ ସିବିଆଇ ବି ଗିରଫ କରିଛି ଏବଂ ଜାମିନ ଆବେଦନ ହାଇକୋର୍ଟରେ ବିଚାରଧୀନ ରହିଛି ।

More Stories