Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ ନିଗମ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ

ସମ୍ବଲପୁର: ନୀରୋଗ ଜୀବନ ଜାପନ ପାଇଁ ଆୟୁଷ ବିଭାଗକୁ ନିୟନ୍ତ୍ରଣ ମୁକ୍ତ କରି ଏକ ସ୍ୱତନ୍ତ୍ର ନିଗମରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରେ ନିବେଦନ କରାଯାଇଛି।
ଆୟୁର୍ବେଦ,ଯୋଗ,ୟୁନାନି,ସିଦ୍ଧ ଓ ହୋମିଓପାଥି ଏହି ୫ ମିଶ୍ରଣ ପକ୍ରିୟା ଦ୍ୱାରା ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ସମ୍ଭବ ପର ଅଟେ।ଏଥିପାଇଁ କେବଳ ଉଦ୍ୟମ ଓ ପରାକାଷ୍ଠା ଆବଶ୍ୟକ ରହିଛି।କେନ୍ଦ୍ରରେ ଆୟୁଷକୁ ନେଇ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ କାର୍ଯ୍ୟକରୁଛି।ଓଡିଶାରେ ମଧ୍ୟ ଏହା ଲାଗୁ କରାଗଲେ ଫଳପ୍ରଦ ସୁସ୍ଥ ପରିବେଶ ଗଠନ କରିବା ସମ୍ଭବ ହେବ ବୋଲି ଜିଲ୍ଲାର ଅନ୍ୟତମ ସମାଜସେବୀ ତଥା ବରିଷ୍ଠ ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ରାଜ୍ୟ ସରକାରଙ୍କ ଠାରେ ପ୍ରସ୍ତାବ ରଖି ମୁଖ୍ୟମନ୍ତ୍ରୀଙ୍କ ଠାରେ ନିବେଦନ କରିଛନ୍ତି।
ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରକ୍ରିୟା ସମୟରେ କିଛିଟା ଆହ୍ୱାନର ସମ୍ମୁଖିନ ହେବେ ।କିନ୍ତୁ ଆଗାମୀ ଦିନ ପାଇଁ ଏକ ସକରାତ୍ମକ ସତେଜ ସ୍ୱାସ୍ଥ୍ୟ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ଡା.ଷଡଙ୍ଗୀ କହିଛନ୍ତି।
ଏଥିପାଇଁ ରାଜ୍ୟର ମୁଖ୍ୟ କିଛି ପ୍ରାଥମିକ ଚିକିତ୍ସାଳୟକୁ ବାଦ ଦେଇ ଶତକଡା ୮୫ ଭାଗ ପ୍ରାଥମିକ ଚିକିତ୍ସାଳୟରେ କେବଳ ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି କରାଯାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆୟୁଷ ସେବାକୁ ନିଶ୍ଚିତ କରାଇ ରୋଗର ଚିକିତ୍ସା ସହିତ ଏହାର ପ୍ରତିକାର ଦିଗରେ ଆୟୁଷର ବଡ ଭୂମିକାକୁ ନିର୍ବାହ କରାଯାଇପାରିବ।ଏପରିକି ପ୍ରାଥମିକ ଚିକିତ୍ସାଳୟ ସବୁ ଏକ ରେଫରାଲ ସିଷ୍ଟମ ହୋଇଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ଉପରକୁ ଏସଡିଏଚ,ଡିଏଚଏଚ ଭଳି ସମସ୍ତ ଡାକ୍ତର ଖାନା ମାନଙ୍କରେ ଏଲୋପାଥି ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନିଶ୍ଚିତ କରିବା ସହ ନିଯୁକ୍ତି ଦିଆଗଲେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଏକ ବିରାଟ ପରିବର୍ତ୍ତନ ଅଣାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆବଶ୍ୟକ ପଡିଲେ ବଜେଟ୍ ରେ ସ୍ଥାନ ଦେବାକୁ ସରକାରଙ୍କ ଠାରେ ପରାମର୍ଶ ଦେଇଛନ୍ତି। ଏହା ଫଳରେ ରାଜ୍ୟରୁ ଡାକ୍ତର ଅଭାବ ସମସ୍ୟା ଦୂର ହେବା ସହିତ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ସମ୍ଭବପର ହୋଇପାରିବ।କେରଳ ରାଜ୍ୟକୁ ଏଥିପାଇଁ ଉଦାହରଣ ସ୍ୱରୂପ ନିଆଯାଇପାରେ ବୋଲି ସେ ଦର୍ଶାଇଛନ୍ତି।ରାଜସ୍ଥାନ ଓ ଗୁଜୁରାଟ ରାଜ୍ୟରେ ମଧ୍ୟ ଆୟୁଷ ସେବା ବେଶ୍ ଫଳପ୍ରଦ ହୋଇଥିବା ପ୍ରକାଶ କରି ଓଡିଶାରେ ମଧ୍ୟ ଏଥିପାଇଁ ପ୍ରୟାସ କରିବାର ଆବଶ୍ୟକତାକୁ ଦର୍ଶାଇଛନ୍ତି।
ଏହା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନଜାତ ହରିଡା,ବାହାଡା,ଅଁଳା,ଶତାବରୀ ଭଳି ବହୁ ଦ୍ରବ୍ୟ ଓ ଔଷଧିୟ ବୃକ୍ଷଲତା ମିଳୁଛି ।ଏହାକୁ ମଧ୍ୟ ପଞ୍ଚାୟତ ମାଧ୍ୟମରେ କିମ୍ବା ସରକାରୀ କୌଣସି ଅନୁଷ୍ଠାନ ମାଧ୍ୟମରେ ସଂଗ୍ରହ କରାଯାଇ ଏହାର ସୁବିନିଯୋଗ ଉପରେ ମହତ କାର୍ଯ୍ୟ ସାଧିତ ହୋଇପାରିବ।ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆୟୁର୍ବେଦ ଫାର୍ମାସି ରେ ବହୁ ଔଷଧ ପ୍ରସ୍ତୁତ କରାଯାଇପାରିବ ବୋଲି ସରକାରଙ୍କୁ କହିଛନ୍ତି।
ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ ପାଇଁ ସଚେତନତା,ସର୍ଭେ,ଜୀବନ ଚର୍ଚାରେ ପରିବର୍ତ୍ତନ,ଯୋଗ,ବ୍ୟାୟାମର ଅଭ୍ୟାସ ସୃଷ୍ଟି କରାଯାଇ ରୋଗର ଚିକିତ୍ସା ଅପେକ୍ଷା ନିରାକରଣ ବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେବା ବର୍ତ୍ତମାନ ପାଇଁ ଜରୁରୀ ମନେକରାଯାଉଛି।
ଯଦି ରାଜ୍ୟରେ ଆୟୁଷ ବିଭାଗକୁ ନେଇ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ କିମ୍ବା ଆୟୁଷ ନିଗମ କରାଯାଇପାରନ୍ତା ତେବେ ରାଜ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସରଳ ସମାଧାନ ପାଇଁ ଏକ ସୁବର୍ଣ୍ଣ ଯୁଗର ଅଧ୍ୟାୟ ସୃଷ୍ଟି ହୋଇପାରନ୍ତା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆୟୁଷ ନିଗମ ଗଠନ କରିବା ନେଇ ଡା.ଷଡଙ୍ଗୀ ସରକାରଙ୍କ ଠାରେ ପ୍ରସ୍ତାବ ରଖିଛନ୍ତି।
ଏଣୁ ନିବେଦନ ଆୟୁଷ ଭଳି ଏହି ବିଶାଳ ହିତକର ଯୋଜନାକୁ ବଜେଟରେ ସ୍ଥାନ ଦେଇ ଓଡିଶାର ସ୍ୱାସ୍ଥ୍ୟ ସେବାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସହଯୋଗ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ