Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାପ ଛେଉଣ୍ଡ ପୁଅକୁ ସାହା ହେଲେ ପ୍ରଶାସନ,ଛାତ୍ରକୁ ବିରଳ ରକ୍ତ ଦେବେ ଶିକ୍ଷକ

ସମ୍ବଲପୁର:ବାପ ଛେଉଣ୍ଡକୁ ସାହା ନାହିଁ କେହି, ଶୁଖୁନି ଘା ବଢ଼ୁଛି ଦୁର୍ଦ୍ଦଶା ଶିରୋନାମାରେ ପ୍ରକାଶିତ ଖବର ଉପରେ ନଜର ପଡିଛି ଜିଲ୍ଲା ପ୍ରଶାସନର।ଫଳରେ ଜଣେ ୭ମ ଶ୍ରେଣୀର ଛାତ୍ର ନିଜର ବହୁ ଦିନର ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ପାଇବାକୁ ଯାଉଛି। ୧୨ ବର୍ଷର କିଶୋର ବାଳକର ୩ ବର୍ଷ ହେଲା ଘା ଶୁଖିନି ବରଂ ଏହି ଘା ଭବିଷ୍ୟତରେ ତା ପାଇଁ କାଳ ସାଜିବା ଆଶଙ୍କା ଥିବା ନେଇ ଏହି ପ୍ରତିନିଧି ଖବର ପ୍ରକାଶ ସହିତ ବିଭିନ୍ନ ଅଧିକାରୀଙ୍କ ଜ୍ଞାତ ସାରକୁ ନେଇଥିଲେ।
ଯୁଯୋମୁରା ବ୍ଲକ୍ ନୂଆବରଙ୍ଗାମାଲ ଗ୍ରାମ ପଞ୍ଚାୟତର କଳ୍ପା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଏଭଳି ଦୁଃଖରେ ଜୀବନ କଟାଉଥିବା ନେଇ ସ୍କୁଲର ଶିକ୍ଷକ ଡଃ.ପ୍ରଦୀପ କୁମାର ପଣ୍ଡା ଏହି ପ୍ରତିନିଧିର ନଜରକୁ ଆଣି ଉଚ୍ଚତର ଚିକିତ୍ସା ପାଇଁ ସହଯୋଗ କାମନା କରିଥିଲେ।ଛାତ୍ରଙ୍କ ଅବସ୍ଥା ଦେଖିବା ପରେ ସମୟ ଗଡିଲେ ବିପଦ ଆଶଙ୍କା କରି ବିଡିଓ ବିଜୟ ସାଏ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନଜରକୁ ନେଇ ସମ୍ବାଦ ପରିବେଷଣ କରିଥିଲେ। ଛାତ୍ରଙ୍କ ନାମ ହେଉଛି ରସାଲ ଡୁଙ୍ଗଡୁଙ୍ଗ(୧୨)।ପିଲାଟି ଦିନରୁ ବାପଛେଉଣ୍ଡର ସାହା ଭରସା କେବଳ ତା ମାଁ ନିରୂପମା ଡୁଙ୍ଗଡୁଙ୍ଗ।ନିଜ ବୟୋବୃଦ୍ଧା ମାଁ ଓ ରସାଲକୁ ନେଇ ନିରୂପମାର ସଂସାର।ଖଟିଲେ ଘର ଚଳେ।ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା ଏହି ପରିବାରର ଏକ ମାତ୍ର ପୁଅର ଦୁଃଖରେ ଭାଙ୍ଗିପଡିଲେଣି ପରିବାର।ପ୍ରାୟ ୩ ବର୍ଷ ତଳେ ବାମ ଗୋଡର ଆଣ୍ଠୁ ପାଖରେ ଏକ ବ୍ରଣ ଉଠିଥିଲା ।ଏହାର ଚିକିତ୍ସା ବି ହୋଇଥିଲା।କିନ୍ତୁ ଦିନକୁ ଦିନ ଏହା ବଢ଼ିଲା ସିନା ଛାଡିଲାଣି।ଏବେ ସେହି ଘାରୁ ଝରୁଛି ଲସା ପାଣି।ଆଣ୍ଠୁ ଫୁଲିବାକୁ ଲାଗିଥିଲା।ଏଥିପାଇଁ ସ୍କୁଲର ଶିକ୍ଷକ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନାରେ ସ୍କୁଲ ଦ୍ୱାରରେ ସେବା ଯୋଗାଇଥିବା ଭ୍ରାମ୍ଯମାଣ ଚିକିତ୍ସା ୟୁନିଟ ସହିତ ଯୋଗାଯୋଗ ବି କରିଥିଲେ ।ପିଲାଟିର ଏଭଳି ଅବସ୍ଥା ଦେଖି ଯୁଯୋମୁରା ସିଏଚସିକୁ ତାକୁ ପ୍ରେରଣ କରାଯାଇଥିଲା। ଯୁଯୋମୁରା ଡାକ୍ତର ତାକୁ ପୁଣି ସମ୍ବଲପୁର ପ୍ରେରଣ କରିଥିଲେ ।ପିଲାଟିର ରକ୍ତ ପରୀକ୍ଷା କରି ଔଷଧ ଦେଇ ଛାଡିଦେଲେ ସିନା ସ୍ଥାୟୀ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ନେଲେନାହିଁ। ବିଏସକେୱାଇ କାର୍ଡ ଧରି ମାଁ ପୁଅ ଚିକିତ୍ସା ପାଇଁ ଏ ଦାଣ୍ଡରୁ ସେ ଦାଣ୍ଡ ଧାଇଁଲେ ସିନା ଉପକାରରେ ଆସିଲାନି ।କାର୍ଡ ବି କାର୍ଯ୍ୟରେ ଆସିଲା ନାହିଁ।ଅବଶ୍ୟ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଏହି କୋମଳମତି ଛାତ୍ରର ସୁରକ୍ଷା ପାଇଁ ସମସ୍ତ ଯୋଜନା ଥାଇବି ରସାଲ ପାଉଛି ଦୁଃଖ ଭବିଷ୍ୟତ ହେଉଛି ଅନ୍ଧାର ନେଇ ଖବର ପ୍ରକାଶ ପାଇବା ପରେ ସପ୍ତାହେ ତଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଜ ପକ୍ଷରୁ ଏହି ନରୀହ ଛାତ୍ରଙ୍କ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରିଛନ୍ତି।ଅସ୍ଥି ଶୈଲ୍ଯ ବିଭାଗର ୨୬ ନମ୍ବର ଶର୍ଯ୍ୟାରେ ଚିକିତ୍ସିତ ହେଉଥିବା ରସାଲର ଆସନ୍ତା ସୋମବାର ହେବ ଅସ୍ତ୍ରୋପଚାର।
ଏଥିପାଇଁ ବିରଳ ଏବି+ରକ୍ତର ଆବଶ୍ୟକତା ରହିଥିଲା।କିନ୍ତୁ ଏହି ଗ୍ରୁପ୍ ର ରକ୍ତ ବୁର୍ଲା କିମ୍ବା ସମ୍ବଲପୁର ରକ୍ତଭଣ୍ଡାରରେ ମହଜୁଦ ନଥିଲା।ଫଳରେ ଶିକ୍ଷକ ମହଳରେ ଆଲୋଚନା ହେବା ପରେ ଏହି ଛାତ୍ରକୁ ଜଣେ ଶିକ୍ଷକ ରକ୍ତ ଦେବାକୁ ଆଗେଇ ଆସିଛନ୍ତି।ସେ ହେଉଛନ୍ତି ଯୁଯୋମୁରା ବ୍ଲକ୍ ଗଡଲୁଇସିଙ୍ଗ କ୍ଲଷ୍ଟରର ବଡପାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁପ୍ରିଆନ ତିର୍କୀ।ଛାତ୍ର ପ୍ରତି ଶିକ୍ଷକଙ୍କ ଏହି ମହାନତା ସେବା ସମାଜ ପାଇଁ ଆଜି ଦିନରେ ଏକ ଉଦାହରଣ କୁହାଯିବ।
ସତରେ ଯୋଜନା ଉପରେ ଯୋଜନା ଥାଇବି ଏହି ଭବିଷ୍ୟତର ନାଗରୀକ ପାଇଁ କ’ଣ କୌଣସି ରାସ୍ତା ନାହିଁ ।ନାଁ ସ୍ୱାସ୍ଥ୍ୟ ବିଭାଗ ତାର ଉତ୍ତର ଦାୟିତ୍ୱ ନିର୍ବାହ କରି ରସାଲ ପରିବାରରେ ହସ ଫୁଟାଇବ ତାହାହିଁ ବର୍ତ୍ତମାନ ପାଇଁ ବଡ ପ୍ରଶ୍ନ ଏଭଳି ପ୍ରଶ୍ନ ଚିହ୍ନ ଲଗାଇ ପ୍ରକାଶିତ ଖବର ରସାଲକୁ ଛୁଇଁଛି।ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ପରିବାର କାହିଁକି ରସାଲର ସହପାଠୀ ଓ ଶିକ୍ଷକ ମହଳରେ ମଧ୍ୟ ଆନନ୍ଦ ପ୍ରକାଶ ପାଇ ରସାଲର ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷକ ସମାଜ ମଧ୍ୟ ଛିଡା ହୋଇଛନ୍ତି।