Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାଲା ଭାଙ୍ଗି ଖୋଲାଗଲା ଭିତର ରତ୍ନଭଣ୍ଡାର

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। । ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ୧୧ ଜଣିଆ କମିଟି ଶ୍ରୀମନ୍ଦିରରୁ ବାହାରିବା ପରେ  ଏହାର ଆନୁଷ୍ଠାନିକ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଅରବିନ୍ଦ ପାଢୀ କହିଛନ୍ତି, ଏସଓପି ଅନୁଯାୟୀ ସବୁ କାର୍ଯ୍ୟ ହୋଇଛି। ବାହାର ରତ୍ନ ଭଣ୍ଡାର ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତର କରାଗଲା। ଚାଙ୍ଗଡା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି ଅଳଙ୍କାର। ଏହା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସିଲ୍ କରାଯାଇଛି।

ରତ୍ନଭଣ୍ଡାରରେ ଲାଗିଥିବା ୩ଟି ତାଲା ଚାବିରେ ଖୋଲି ପାରିଲା ନାହିଁ। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ନ ଖୋଲିବାରୁ ଏସଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା।ଭିତର ରତ୍ନଭଣ୍ଡାରରେ ଯାହା ଗଚ୍ଛିତ ଥିଲା ତାହା ଆଲମିରା ଏବଂ ସିନ୍ଦୁକରେ ବନ୍ଦ ହୋଇ ରହିଛି। କିନ୍ତୁ କୌଣସି ଅଳଙ୍କାର ଆମେ ଦେଖିନାହୁଁ।  ଭିତର ରତ୍ନଭଣ୍ଡାର ଖୋଲିଲା ବେଳକୁ ବହୁ ସମୟ ହୋଇଯାଇଥିବାରୁ ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।  ଆଉ ଗୋଟିଏ ଦିନରେ ଭିତର କିମ୍ବା କିଛି ସମୟ ନିଆଯାଇ ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର ପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ରକ୍ଷଣାବେକ୍ଷଣ କରି ସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ରତ୍ନ ଅଳଙ୍କାରଗୁଡ଼ିକୁ ପୁଣି ଥରେ ରତ୍ନଭଣ୍ଡାର ଭିତରକୁ ନିଆଯିବ। ସେଠାରେ ହିଁ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ।