ଆଜି ପବିତ୍ର ମହରମ, ସନ୍ଧ୍ୟାରେ ବାହାରିବ ତାଜିଆ ଶୋଭାଯାତ୍ରା


ଭୁବନେଶ୍ବର: ତ୍ୟାଗ ଓ ବଳିଦାନର ପର୍ବ ମହରମ ଆଜି । ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଉତ୍ସାହ । ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ଆଜି ସନ୍ଧ୍ୟାରେ ତାଜିଆ ଶୋଭାଯାତ୍ରା ବାହାରିବ । ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ ସେ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି ।

ଭଦ୍ରକ ପୋଲିସ ପକ୍ଷରୁ କାଲି ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏହି ଫ୍ଲାଗ ମାର୍ଚ୍ଚରେ ଭଦ୍ରକ ଏସପି ବରୁଣ ଗୁଣ୍ଠପାଲୀ, ୨ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୧୨୭ ଜଣ ଏସଆଇ/ଏଏସଆଇ ଓ ୨୪ ପ୍ଲାଟୁନ ଫୋର୍ସ , ୩ କମ୍ପାନୀ ସିଏପିଏଫ ଫୋର୍ସ  ସାମିଲ ହୋଇଥିଲେ । ଫ୍ଲାଗମାର୍ଚ୍ଚ ଗୋଶାଳା ଛକରୁ ପୁରୁଣା ବଜାର ଦେଇ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ପରିକ୍ରମା କରିଥିଲା । ଧାମନଗର ସହ ଜିଲ୍ଲାର ଅନ୍ୟ ସ୍ଥାନରେ ବି ମହରମ ପର୍ବ ପାଳନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ । କାଲି ସମ୍ବଲପୁର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କାରାଯାଇଛି । ଜିଲ୍ଲା ପୋଲିସ୍ ସହ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି । ସମ୍ବଲପୁର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି ।