ଟି-୨୦ ଅଧିନାୟକ ପଦକୁ ନେଇ ଶାହ ଓ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ! ଆଜି ଘୋଷଣା ହୋଇପାରେ ଟିମ୍‌


ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କିଏ ହେବ ? ସଭିଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ । ଏହା ମଧ୍ୟରେ ଭାରତୀୟ କ୍ରିକେଟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଟି-୨୦ ଅଧିନାୟକଙ୍କୁ ନେଇ ଦଳରେ କନ୍ଦଳ ଆରମ୍ଭ ହୋଇ ଯାଇଛି । ବିସିସିଆଇ ସଚିବ ଜୟ ଶାହ ଓ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଦେଖା ଦେଇଛି ।

ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଟି-୨୦ ଅଧିନାୟକ ପଦରୁ ଅବ୍ୟାହତି ନେଇ ସାରିଛନ୍ତି । ଆଶା କରାଯାଉଥିଲା ରୋହିିତଙ୍କ ପରେ ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯିବ । ମାତ୍ର ଅଚାନକ ଏଥିରେ ଟୁଇଷ୍ଟ ଆସିଛି । ହାର୍ଦ୍ଦିକଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ କରାଯିବା ନେଇ ଖବର ପ୍ରକାଶ ପାଇଛି । ତେବେ ଏସବୁ ଭିତରେ ଜୟ ଶାହା ଓ ଗମ୍ଭୀରଙ୍କ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇ ଯାଇଛି ।

ଋିପୋର୍ଟ ଅନୁଯାୟୀ, ଜୟ ଶାହ ଚାହାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳନ୍ତୁ । କିନ୍ତୁ ଏଥିପାଇଁ ଗୌତମ ଗମ୍ଭୀର ପ୍ରସ୍ତୁତ ନୁହନ୍ତି । ଗମ୍ଭୀରଙ୍କ ଇଚ୍ଛା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଉ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇ ଯାଇଛି । ବାରମ୍ବାର ଆହତଜନିତ ସମସ୍ୟା ଏବଂ କାର୍ଯ୍ୟଚାପକୁ ଦେଖିଲେ ହାର୍ଦ୍ଦିକ ପାଣ୍ଡ୍ୟା ନିୟମିତ ଟି-୨୦ ଅଧିନାୟକ ହୋଇ ପାରିବେ ନାହିଁ ବୋଲି ଗମ୍ଭୀରଙ୍କ ମତ ।

ଋିପୋର୍ଟ ଅନୁଯାୟୀ, ଆଜି ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇପାରେ । ସଭିଙ୍କ ନଜର ଟି-୨୦ ଅଧିନାୟକ ଘୋଷଣା ଉପରେ ରହିଛି । କୁହାଯାଉଛି ବିସିସିଆଇ ସଚିବ ଜୟ ଶାହ ୧୯ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ଆଇସିସିର ବୋର୍ଡ ମିଟିଂରେ ଯୋଗ ଦେବେ । ତେଣୁ ଏହା ପୂର୍ବରୁ ଆଜି ଦଳ ଘୋଷଣା ହୋଇପାରେ ।