ପୋଲ ତଳକୁ ବସ୍ ଖସି ୪୦ ଯାତ୍ରୀ ଆହତ


ବୌଦ୍ଧ: ବସରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ଭୁବନେଶ୍ବରରୁ ମାଲକାନଗିରି ଯାଉଥିଲେ । ହେଲେ ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ହଠାତ କେହି କିଛି ବୁଝିବା ବେଳକୁ ବିକଟାଳ ଶବ୍ଦ କରି ବସଟି ଏକ ପୋଲ ତଳକୁ ଖସି ପଡ଼ିଲା । ଫଳରେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ଏବଂ ବୟସ୍କ ଲୋକ ଥିବା ଜଣାପଡିଛି । ଦୁର୍ଘଟଣା ସୁନାଖାଇ ପୋଲ ଉପରେ ଘଟିଛି । ଦୁର୍ଘଟଣାର ଶିକାର ବସର ନାଁ ମହାଦେବ ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ତେବେ ରାତିର ଅନ୍ଧାରରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହଜ ନଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କମର୍ଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାର ଅକ୍ଲାନ ପରିଶ୍ରମ ପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସମସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ିର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ । ସେ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡିଟି ପୋଲ ତଳକୁ ଖସି ପଡ଼ିଥିଲା । 

ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୌଦ୍ଧ ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।