Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳ ଷ୍ଟେସନର କାର୍ଯ୍ୟ ଶିଘ୍ର ତ୍ବରାନ୍ବିତ କରାଯିବା ନେଇବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଦାବି

ବରଗଡ଼: ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟ ମାନେ ବରଗଡ଼ ରୋଡ଼ ରେଳଷ୍ଟେସନ କୁ ଯାଇ ସେଠାରେ ତୋରା ରୋଡ ଓ ଭେଡେନ ରୋଡ ଲେଭେଲ କ୍ରସିଂରେ ବାରମ୍ବାର ଗେଟ୍ ପଡି ରହୁଥିବାରୁ ଲୋକଙ୍କ ଯିବା ଆସିବାରେ ବହୁତ ସମସ୍ୟା ହେଉଥିଲା।ତେଣୁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଉଭୟ ରାସ୍ତାର ମଧ୍ୟଭାଗରେ ରେଳବାଇ ପକ୍ଷରୁ ଏକ ସବ-ୱେ ନିର୍ମାଣ କରାଗଲା। ଏହାଦ୍ବାରା ଲୋକେ ଅନାୟାସରେ ଯିବା ଆସିବା କରି ପାରିବେ । କିନ୍ତୁ, ଏହାର ତ୍ରୁଟିପୂର୍ଣ୍ଣ ଡିଜାଇନ ଯୋଗୁଁ ଲୋକଙ୍କ ପାଇଁ ଏକ ନୂତନ ସମସ୍ୟା ସୃଷ୍ଟି ହେଲା। ନିକଟରେ କେନାଲ ଥିବାରୁ ଏହାର ତଳ ଅଂଶରେ ସର୍ବଦା ପାଣି ଭରି ରହୁଛି। ଏ ବିଷୟରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, କିନ୍ତୁ, ସେତେବେଳେ ସେମାନେ ପମ୍ପ ଯୋଗେ ଜଳ ନିଷ୍କାସିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ, ନିମ୍ନ ଭାଗରେ ଥିବା ହମ୍ପସ ର ଉଚ୍ଚତା ଅଧିକ ହୋଇଥିବାରୁ ଛୋଟ କାର ଗୁଡ଼ିକର ତଳଅଂଶ ଏଥିରେ ବାଜୁଛି। ଏଠାରେ ପର୍ଯ୍ୟାପ୍ତ ଲାଇଟ୍ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଲୋକେ ରାତିରେ ଉକ୍ତପଥ ଦେଇ ଯିବାକୁ ନିରାପଦ ମନେ କରୁନାହାନ୍ତି। ତୋରା ଅଞ୍ଚଳର ଅନେକ ଝିଅପିଲାମାନେ ବରଗଡ଼ର ବିଭିନ୍ନ ଦୋକାନରେ ଚାକିରୀ କରିଥାନ୍ତି। ସେମାନେ ରାତି ୯ ଟା ପରେ ଉକ୍ତ ରାସ୍ତା ଦେଇ ବହୁତ ଭୟଭୀତ ହୋଇ ଘରକୁ ଫେରିଥାନ୍ତି। ସେଠାରେ ଲାଇଟ୍ ଓ ସିସିଟିଭି ବ୍ୟବସ୍ଥା ନ ଥିବାରୁ ସାଧାରଣ ଲୋକ ଲୁଟ୍ ର ଶିକାର ମଧ୍ୟ ହେଉଛନ୍ତି। ଉଭୟ ଗେଟ୍ ଟ୍ରେନ ଯାଉ ନ ଥିବା ବେଳେ ମଧ୍ୟ ବନ୍ଦ ରଖା ଯାଉଥିବା ଅଭିଯୋଗ ହେଉଛି।
ତା.୨୦/୭/୨୪ ଦିନ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧିଦଳ ଷ୍ଟେସନ ତଥା ସବ-ୱେ ବୁଲି ଦେଖିଥିଲେ। ଷ୍ଟେସନରେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଷ୍ଟେସନ ଅଧୀକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ବେଶୀ ବର୍ଷା ହେଲେ ସେଡ୍ ରୁ ପାଣି ଗଳୁଥିବା, ଲିଫ୍ଟ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା, ପ୍ରସ୍ତାବିତ ଦ୍ଵିତୀୟ FOB ଓ ତତ୍ ସଂଲଗ୍ନ ରେମ୍ପ୍ କାର୍ଯ୍ୟ ଏ ଯାବତ୍ ଆରମ୍ଭ ହୋଇ ନ ଥିବା, ବୋତଲରେ ସ୍ୱଚ୍ଛ ପାନୀୟଜଳ କାଉଣ୍ଟର ବନ୍ଦ ରହୁଥିବା ଇତ୍ୟାଦି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଷ୍ଟେସନ ଅଧୀକ୍ଷକ ଦୃଷ୍ଟି ଆକର୍ଷିତ କରାଯାଇଥିବା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ। ଲିଫ୍ଟ କାର୍ଯ୍ୟକୁ ପ୍ରାଥମିକତା ଦେଇ ୧୫/୨୦ ଦିନ ମଧ୍ୟରେ ଶେଷକରିବା ପାଇଁ କୁହାଯାଇଥିଲା।
ଉପରୋକ୍ତ ସମସ୍ତ ସମସ୍ୟା ସମ୍ପର୍କରେ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକଙ୍କୁ ଅବଗତ କରି ଏହାର ସମାଧାନ କରାଯିବାକୁ ସ୍ଥିର କରାଗଲା।
ଆଜିର ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଶୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ, ପି.ଆର.ଓ. କିଶୋର କୁମାର ରଥ ଓ ଅଭିଜିତ ପ୍ରତିହାର ତଥା ବରିଷ୍ଠ ସଦସ୍ୟ ତୁଳସୀ ଚରଣ ଦାଶ ଓ ଦେବୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ