Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ

ସମ୍ବଲପୁର:ପୁର୍ବ ପୁରୁଷମାନଙ୍କର ଦୀର୍ଘ କାଳୀନ ତ୍ୟାଗ ଓ ସାଧନା ବଳରେ ସମ୍ବଲପୁରୀ ଭାଷା ସାହିତ୍ୟ, ସଂସ୍କୃତି ବର୍ତ୍ତମାନର ସ୍ବରୂପ ହାସଲ କରିଛି । ବଂଶର ଗୈାରବ ଓ ସମ୍ପତ୍ତି ପ୍ରତି ଉତ୍ତର ପୁରୁଷର କର୍ତ୍ତବ୍ୟ ସଦୃଶ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ବର୍ତ୍ତମାନ ପୀଢ଼ିର ଗୁରୁଦାୟିତ୍ଵ ରହିଥିବା ମତପ୍ରକାଶ ପାଇଛି।
ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ ଅବସରରେ ଏହାର ସଭାପତି ରାମାନୁଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ସାଂସ୍କୃତିକ ସମାଜ ସଭାଗୃହରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟାପକ ମୋହନ ସାହୁ କହିଲେ ସମ୍ବଲପୁରୀ କେବଳ ମାତ୍ର କଥିତ ଭାଷା ଭାବରେ ଗୃହୀତ ହେଉଥିଲା । ଏହି ଭାଷାରେ ସାହିତ୍ୟ ସୃଷ୍ଟି ନେଇ ସଭିଏଁ ସନ୍ଦିହାନ ଥିଲେ । ପ୍ରତିକୂଳ ପରିସ୍ଥିତିରେ ପ୍ରାରମ୍ଭିକ ଅବସ୍ଥାରେ ଯେଉଁମାନେ କଟାକ୍ଷ ଓ ସମାଲୋଚନା କୁ ଭୃକ୍ଷେପ ନ କରି ସାହିତ୍ୟ ସୃଷ୍ଟି କଲେ, ସମ୍ବଲପୁରୀରେ ବତ୍କୃତା ଦେଲେ ସେମାନଙ୍କ ଅବଦାନ ଖୁବ ଅଧିକ । ସେମାନଙ୍କ ପରିଶ୍ରମ, ତ୍ୟାଗ ଓ ବଳିଦାନକୁ ସଦା ସ୍ମରଣ ରଖି ଆମକୁ ଯୋଗ୍ୟ ବଂଶଧର ତୁଲ୍ୟ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ହେବ ।
ମୁଖ୍ୟ ବକ୍ତା ରୂପେ ଯୋଗଦେଇ କବି କ୍ଷେତ୍ରମଣି ବିଭାର କହିଲେ ଆମ ଭାଷା, ସଂସ୍କୃତି, ପରମ୍ପରା ମହାନ ଅଟେ । ତେଣୁ ଆମ ଭିତରେ ହୀନମନ୍ୟତା ପ୍ରକାଶ ପାଇବା ଉଚିତ ନୁହେଁ। ସଗର୍ବରେ ଆମେ ଏହାକୁ ପ୍ରଚାର କରି ଆମପାଇଁ ଅଧିକ ଗୈାରବ ଆଣିବା ଆବଶ୍ୟକ।
ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ବିଭୂତି ପଟ୍ଟନାୟକଙ୍କୁ ହୀରାଖଣ୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବଲପୁରୀ ଧନୁଯାତ୍ରା ମହୋତ୍ସବ କମିଟିକୁ ମଧ୍ୟ ସମ୍ମାନିତ କରାଯାଇଛି । କମିଟିର ସଭାପତି ସଞ୍ଜୟ କୁମାର ବାବୁ ସମ୍ମାନ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀପକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।